ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକ ପ୍ରଶାନ୍ତ ମାଝୀ (୧୬) ବଜ୍ରାଘାତର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି। ସୂଚନାନୁସାରେ ଜଙ୍ଗେରଗୁଡା ଗ୍ରାମର ସୁବାସ ମାଝୀର ପୁତ୍ର ପ୍ରଶାନ୍ତ ଗାଁ ପିଲାଙ୍କ ସହିତ ଶୁକ୍ରବାର ଅପରାହ୍ନରେ ନିକଟସ୍ଥ ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ। ସେହି ସମୟରେ ଘଡଘଡ଼ି ସହିତ ବିଜୁଳି ମାରିଥିଲା। ସେହି ବିଜୁଳି ଆଘାତରେ ପ୍ରଶାନ୍ତ ଅଚେତ ହୋଇ ତଳେ ପଡିଯାଇଥିଲା। ପ୍ରଶାନ୍ତଙ୍କ ଅଚେତ ଅବସ୍ଥାରେ ପଡ଼ିବା ଦେଖି ସାଙ୍ଗରେ ଥିବା ପିଲାମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବରପାଇ ପରିବାର ଲୋକେ ଘଟସ୍ଥଳକୁ ଯାଇ ପ୍ରଶାନ୍ତକୁ ଘରକୁ ଆଣିବା ପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସ ଆସି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରଶାନ୍ତକୁ ମୃତ ଘୋଷଣା କରଥିଲେ। ଖବର ପାଇ ବିଶ୍ୱନାଥପୁର ଥାନାଧିକାରୀ ତୁଳସିରାମ ଶବରଙ୍କ ନେତୃତ୍ୱରେ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିବା ସହିତ ଶବ ଜବତ କରିବ୍ୟବଛେଦ ପାଇଁ ଲାଞ୍ଜିଗଡ଼ ପଠାଇଥିଲେ। ଏହାକୁ ନେଇ ବିଶ୍ୱନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଶୁକ୍ରବାର ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଛେଦ ହୋଇପାରି ନଥିଲା। ଶନିବାର ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବିଶ୍ୱନାଥପୁର ଥାନାଧିକାରୀ ଶ୍ରୀ ଶବର ପ୍ରକାଶ କରିଛନ୍ତି।





