ଶୈଶବ ହେଉଛି ଜୀବନର ସେହି ସୁବର୍ଣ୍ଣ ପ୍ରଭାତ, ଯେଉଁଠି କେବଳ ସ୍ୱପ୍ନର ରଙ୍ଗଥାଏ ଆଉ କଳ୍ପନାର ଉଡ଼ାଣ ଥାଏ। କୁହାଯାଏ, ଶିଶୁମାନେ ହେଉଛନ୍ତି ଭଗବାନଙ୍କ ଅଭିନ୍ନ ରୂପ ଏବଂ ଏକ ସୁନ୍ଦର ଭବିଷ୍ୟତର ସୂତ୍ରଧର। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଆଜି ବି ଆମ ସମାଜର କ୍ରୂର ବାସ୍ତବତା ଭିତରେ ଅନେକ କୁସୁମିତ ଶୈଶବ ପାଦଚଲା ରାସ୍ତାରେ ଧୂଳିଧୂସରିତ ହୋଇ ପଡ଼ିରହିଛନ୍ତି। ଯେଉଁ କୋମଳ ହାତରେ ରଙ୍ଗବେରଙ୍ଗର ଖେଳନା ଏବଂ ଜ୍ଞାନର ବହି ରହିବା କଥା, ସେହି ହାତ ଆଜି ଦାରିଦ୍ର୍ୟର ବୋଝ ବୋହିବାରେ କ୍ଲାନ୍ତ। ସେମାନଙ୍କ ଆଖିରେ ସ୍ୱପ୍ନ ତ ଅଛି, କିନ୍ତୁ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଆବଶ୍ୟକ ଥିବା ସୁଯୋଗର ଆଲୋକ ସେମାନଙ୍କ ପାଖରେ ପହଞ୍ଚିପାରୁ ନାହିଁ। ସମାଜର ପ୍ରକୃତ ଉନ୍ନତି ସେତେବେଳେ ସମ୍ଭବ ହେବ, ଯେଉଁଦିନ ପ୍ରତିଟି ଶିଶୁର ମୁହଁରେ ନିଷ୍ପାପ ହସ ଖେଳିବ। ଆଜି ବି ଅନେକ ଶିଶୁ ରେଳ ଷ୍ଟେସନ, ବସଷ୍ଟାଣ୍ଡ କିମ୍ବା କୌଣସି କାରଖାନାର ଅନ୍ଧକାର କୋଣରେ ନିଜ ଭାଗ୍ୟକୁ ଆଦରି ପଡ଼ିଛନ୍ତି। ଦାରିଦ୍ର୍ୟ ସେମାନଙ୍କୁ କେବଳ ସୁଯୋଗରୁ ବଞ୍ଚିତ କରିନାହିଁ, ବରଂ ସେମାନଙ୍କ ଭିତରେ ଥିବା ସମ୍ଭାବନାକୁ ମଧ୍ୟ ଚାପି ଦେଇଛି। ଏହି ଅସହାୟ ଶିଶୁମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା କେବଳ ସରକାରଙ୍କ ଯୋଜନା ଭିତରେ ସୀମିତ ରହିବା ଉଚିତ ନୁହେଁ; ଏହା ଆମ ସମସ୍ତଙ୍କର ନୈତିକ ତଥା ମାନବିକ କର୍ତ୍ତବ୍ୟ।
ଶିକ୍ଷା ହିଁ ସେହି ମହାଶକ୍ତି, ଯାହା ଏହି ବଞ୍ଚିତ ଶିଶୁଙ୍କ ଜୀବନର ଅନ୍ଧକାରକୁ ଦୂର କରିପାରିବ। ଗୋଟିଏ ଶିଶୁକୁ ଶିକ୍ଷିତ କରିବା ମାନେ କେବଳ ଗୋଟିଏ ଜୀବନ ଗଢ଼ିବା ନୁହେଁ, ବରଂ ଗୋଟିଏ ସମୃଦ୍ଧ ଜାତିର ମୂଳଦୁଆ ପକାଇବା। ଆମେ ଯଦି ନିଜ ସାଧ୍ୟ ଅନୁସାରେ ଏହି ବଞ୍ଚିତ ପିଲାମାନଙ୍କୁ ଖଣ୍ଡେ ବହି, ଟିକେ ସ୍ନେହ କିମ୍ବା ପଢ଼ିବା ପାଇଁ ସୁଯୋଗଟିଏ ଦେଇପାରିବା, ତେବେ ହୁଏତ ସେମାନଙ୍କ ମଧ୍ୟରୁ କେହି ଜଣେ ଆଗାମୀ ଦିନର ବିଶିଷ୍ଟ ବ୍ୟକ୍ତିତ୍ୱ ସାଜିପାରିବ। ସେମାନଙ୍କୁ ଦୟା କିମ୍ବା କରୁଣା ନୁହେଁ, ବରଂ ସୁଯୋଗ ଓ ସମାନତା ଦରକାର। ଖାଦ୍ୟ, ବସ୍ତ୍ର ଏବଂ ଶିକ୍ଷାର ସର୍ବନିମ୍ନ ଆବଶ୍ୟକତା ପୂରଣ ହେଲେ ହିଁ ସେମାନେ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇ ପାରିବେ। ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଏକ ଶପଥ ନେବା ଯେ କୌଣସି ଶିଶୁ ଯେମିତି ଅଜ୍ଞାନତାର ଅନ୍ଧକାରରେ ନରହେ। ଆମର ଏହି ଛୋଟ ପ୍ରୟାସ ଦିନେ ଏକ ବିରାଟ ପରିବର୍ତ୍ତନର ସୂତ୍ରଧର ହେବ। ଯେଉଁଦିନ ପ୍ରତିଟି ଶିଶୁ ନିଜର ସ୍ୱାଭିମାନ ସହ ବଞ୍ଚିବ, ସେହିଦିନ ହିଁ ଆମ ଦେଶ ପ୍ରକୃତରେ ସମୃଦ୍ଧ ଓ ସଶକ୍ତ ହେବ। ମଣିଷ ପଣିଆର ପରିଚୟ ଏଇଥିରେ ହିଁ ଅଛି ଯେ ଆମେ କେତେଜଣ ବଞ୍ଚିତ ଶିଶୁଙ୍କ ଜୀବନରେ ଆଲୋକର ପ୍ରଦୀପ ଜାଳି ପାରୁଛେ।
ଡ. ଅନିଲ ପ୍ରସାଦ ସାହୁ
ସହକାରୀ ଶିକ୍ଷକ, ରୁପ୍ରାରୋଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,
ନର୍ଲା, କଳାହାଣ୍ଡି





