ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବ୍ୟାପକ କ୍ଵାର୍ଜ ପଥର ଚୋରା କାରବାର ଚାଲିଥିବା ଅଭିଯୋଗ ହେଉଛି। ଅତୀତରେ କୋକସରା ବ୍ଲକରେ ଏକ କ୍ଵାର୍ଜ ପଥର କାରଖାନା ଚାଲିଥିବାବେଳେ ତାହା ଦୀର୍ଘ ଦିନ ହେବ ବନ୍ଦ ପଡିରହିଛି। ଏବେ କ୍ଵାର୍ଜ ପଥର କଳାବଜାରୀ ମାନେ କଳାହାଣ୍ଡିର ବିଭିନ୍ନ ଅଞ୍ଚଳ ବିଶେଷ କରି ଜୁନାଗଡ ବ୍ଲକର ଆଖ ପାଖ ଅଞ୍ଚଳରୁ ବ୍ୟାପକ ଭାବେ କ୍ଵାର୍ଜ ପଥର ଚୋରା କାରବାର କରୁଥିବା ଅଭିଯୋଗ ହେଉଛି। ଜିଲ୍ଲା ଖଣି ବିଭାଗର ନାକ ତଳେ କିପରି ଭାବେ ଏଭଳି କୋଟି କୋଟି ଟଙ୍କା ମୂଲ୍ୟର କ୍ଵାର୍ଜ ପଥର ଚୋରା କାରବାର କରୁଥିବା ବେଳେ ପ୍ରଶାସନ କିମ୍ବା ଖଣି ବିଭାଗର ନଜର ପଡୁ ନ ଥିବା ନିଶ୍ଚିତ ଭାବେ ସନ୍ଦେହ ଜନକ ମନେ ହୁଏ। ଜୁନାଗଡ- ଧର୍ମଗଡ ରାସ୍ତାର ଖାଳିଆପାଳି ଠାରେ ବାମ ପାର୍ଶ୍ବ ରେ ଗଦା ଗଦା କ୍ଵାର୍ଜ ପଥର ପଡ଼ିଥିବାର ଦେଖା ଯାଉଛି। ସେହି ପଥର କେଉଁଠୁ ଆସିଲା, କେବେ କାହାଦ୍ୱାରା ଆସିଲା, କିପରି ଆସିଲା, କହିକି ଆସିଲା, କେଉ ଉଦ୍ଦେଶ୍ୟରେ ସେଠାରେ ପଡି ରହିଛି ସେସବୁର ଉତ୍ତର ମିଳି ପାରୁ ନାହି। ବୋଧ ହୁଏ ଏହି ଅଞ୍ଚଳରେ ସକ୍ରିୟ ଥିବା ଚୋରା କ୍ଵାର୍ଜ ପଥର ବେପାରୀ ମାନେ ସେଠାରେ ପକାଇ ଦେଇଥିବା ଏବଂ ସୁବିଧା ସୁଯୋଗ ଦେଖି ସେଠାରୁ ପୁଣି ନେଇଯିବା ଯୋଜନା ହୋଇଥାଇ ପରେ ବୋଲି ଅନୁମାନ କରାଯାଉଛି। ଏସମ୍ପର୍କରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ କୌଣସି ସୂଚନା ମିଳି ପାରିନାହି। ଅବଶ୍ୟ କଳାହାଣ୍ଡି ଜିଲ୍ଲାରେ ଏପରିକି କଳାହାଣ୍ଡି ଜିଲ୍ଲାରେ କେଉଠାରେ କ୍ଵାର୍ଜ ପଥର ଖଣି ସବୁ ରହିଛି ସେସବୁର ସଠିକ ତଥ୍ୟ ମଧ୍ୟ ଜିଲ୍ଲା ଖଣି ବିଭାଗ ପାଖରେ ନ ଥିବାର ଜଣାପଡିଛି। ବିଗତ ତିନି/ଚାରି ବର୍ଷର କଳାହାଣ୍ଡି ଜିଲ୍ଲାର ସାଟେଲାଇଟ ତଥ୍ୟକୁ ଗଭୀର ଭାବେ ଅନୁଧ୍ୟାନ କଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇପାରିଛି। ସମ୍ପୃକ୍ତ ଚୋରା ବେପାରୀ ମାନଙ୍କ ବହୁ ବଳ ଓ ଅର୍ଥ ବଳ ପ୍ରଭାବରେ ପ୍ରତ୍ୟକ୍ଷଦର୍ଶୀ ମାନେ ମଧ୍ୟ ଭୟରେ ମୂହ ଖୋଲୁ ନ ଥିବାର ଅନୁମାନ କରାଯାଉଛି। ଏ ସମ୍ପର୍କରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମହଲରୁ ମତ ପ୍ରକାଶ ପାଇଛି।





