ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ସ୍ୱୟଂଚାଳିତ କାର୍ଯ୍ୟଦକ୍ଷତା ରହିଛି। ତାହା ନୂତନ ତଥ୍ୟରୁ ନିଜେ ଶିକ୍ଷା କରି ନିଜର କାର୍ଯ୍ୟଶୈଳୀକୁ ପ୍ରସ୍ତୁତ କରିଥାଏ। ଏବେ ପୃଥିବୀର ସର୍ବତ୍ର କୃତ୍ରିମ ବୁଦ୍ଧିମତ୍ତାକୁ ପ୍ରୟୋଗ କରି ଅସାଧ୍ୟ କାର୍ଯ୍ୟ ସହଜସାଧ୍ୟ ହୋଇପାରୁଥିବା ବେଳେ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ତାହା କିପରି ପ୍ରୟୋଗ କରାଯାଇପାରିବ ତାହାର ଚର୍ଚ୍ଚା କରିବା ପାଇଁ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ (ଓବିବିଏ) ପକ୍ଷରୁ ସ୍ରଷ୍ଟା ନାଟ୍ୟାଳୟ ସଭାଗୃହରେ ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନାର ପ୍ରାରମ୍ଭରେ ସମ୍ପୂର୍ଣ୍ଣ ଭାବରେ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ରଚିତ ହୋଇଥିବା ଏକ ଗୀତକୁ କଲ୍ୟାଣୀ ନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଅର୍ଚ୍ଚନା କର, ବାସନ୍ତୀ ଦେ, ସଙ୍ଗୀତା ବାରିକ, ପୁଷ୍ପଲତା ଚକ୍ରବର୍ତ୍ତୀ, ପ୍ରିୟାରାଣୀ ମଲ୍ଲିକ, ସୁନାମଣି ଜେନା ପ୍ରମୁଖ କଣ୍ଠଶିଳ୍ପୀ ଗାନ କରିଥିଲେ। ଡାକ୍ତର ନନ୍ଦ କୃତ୍ରିମ ବୁଦ୍ଧିମତ୍ତାକୁ ଶିଖିବାର କେତେକ କୌଶଳ କାହାଣୀ ମାଧ୍ୟମରେ ବତାଇଥିଲେ। ଫକୀରମୋହନ ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡକ୍ଟର କମଳାକାନ୍ତ ଜେନା ଏଆଇ ପ୍ରୟୋଗ କାଳରେ ବ୍ୟବହାରକାରୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସୁବିଧା ଓ ଅସୁବିଧା ବିଷୟରେ ଅବଗତ କରାଇ ଅସୁବିଧାକୁ ଟାଳିବାର କୌଶଳ ଆପଣାଇବାକୁ ସଜାଗ କରିଥିଲେ।
ଫକୀରମୋହନ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡକ୍ଟର ମିନତି ମିଶ୍ର ଓଡ଼ିଆ ସାହିତ୍ୟର ଦୁର୍ବୋଧ୍ୟ ଚିତ୍ରକାବ୍ୟକୁ ଏଆଇ ମାଧ୍ୟମରେ ପାଠକ କିପରି ସହଜ ମାର୍ଗରେ ଅବଗତ ହୋଇପାରିବେ ଉଦାହରଣ ମାଧ୍ୟମରେ ତାହା ପ୍ରକାଶ କରିଥିଲେ। ଝାଡ଼େଶ୍ଵର +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସମରବଲ୍ଲଭ ଭୋଇ ଏଆଇର ପ୍ରାରମ୍ଭ କାଳରୁ ଏ ଯାବତ୍ ତାର ଇତିହାସ ଓ ସଂଜ୍ଞା ନିରୂପଣ କରିଥିଲେ। କବି ସଙ୍ଗୀତା ବାରିକ ଓ ବିଦ୍ୟାର୍ଥୀ ତ୍ରିନାଥ ଭୋଇ ମଧ୍ୟ ଏଆଇ ସମ୍ପର୍କିତ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଅନୁଷ୍ଠାନର ଉପସଭାପତି ନିବାରଣ ଜେନା ଏଆଇ ପ୍ରତି ଆଗ୍ରହ କାରଣରୁ ଆମ ଭାଷା ଓ ସାହିତ୍ୟର ଦ୍ରୁତ ଉନ୍ନତି ସମ୍ଭବ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଜୁମର ନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିବା ବେଳେ ତପନ ରାୟ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଶାନ୍ତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଆସରରେ ଅନ୍ୟମାନଙ୍କମଧ୍ୟରେ ନିରଞ୍ଜନ ରାଉତ, ଅରୁଣା ରାୟ, ଅଞ୍ଜଳି ପଣ୍ଡା, ଦୀପକ ବୋଷ, ସୁଷମା ମହାପାତ୍ର, ଡକ୍ଟର କ୍ଷିତୀଶ୍ବର ଦାଶ, ଅର୍ଚ୍ଚନା ନନ୍ଦୀ, ଜୟନ୍ତୀ ବେହେରା, ପ୍ରଦୀପ କୁମାର ମିଶ୍ର, ଅନାଦି ଚରଣ ଜେନା, ତପନ କୁମାର ପଣ୍ଡା, ରାଧାରମଣ ବୋଷ, ପଣ୍ଡିତ ସଞ୍ଜୟ କୁମାର ପଣ୍ଡା, କରୁଣାକର ସ, ଊର୍ମିଳା ନାୟକ, କମଳିନୀ ଦାସ, ଜ୍ୟୋତ୍ସ୍ନା ରାୟ, ମମତା ମହାନ୍ତି, ମଧୁସୂଦନ ମାଝୀ, ଲମ୍ବୋଦର ନାୟକ, ଦିଲ୍ଲୀପ କୁମାର ଚକ୍ରବର୍ତ୍ତୀ, ସ୍ନିଗ୍ଧା ସାମନ୍ତରାୟ, ରମାକାନ୍ତ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ସ୍ଥିରା ଦାସ, ଭାସ୍କର ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।





