ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଛତିକୁଡାରୁ ନର୍ଲା ପର୍ଯ୍ୟନ୍ତ ୧୫ କି.ମି. ୱାନ ୱେ ରାସ୍ତା ନିର୍ମାଣ କାମ ଚାଲିଛି। ରାସ୍ତା ପ୍ରସସ୍ଥିକରଣ ହେଉଛି। ଏହା ଦୀର୍ଘ ଦୁଇ ବର୍ଷ ଧରି ଚାଲି ଆସୁଥିବା ବେଳେ ସମାପ୍ତ ହେବାର ନାଁ ଧରୁନି। ନୂତନ ରାସ୍ତା ନିର୍ମାଣ କାମ ନର୍ଲାର ବେହେରାପାଟି ଯାଏଁ ଆସିଥିବା ବେଳେ ଛତିକୁଡାରୁ ଆରମ୍ଭ ମୁଣ୍ଡରୁ ଏବେ ରାସ୍ତା ଭାଙ୍ଗିବା ଆରମ୍ଭ ହେବାକୁ ବସିଲାଣି। ସ୍ଥାନେ ସ୍ଥାନେ ରାସ୍ତା ଭାଙ୍ଗି ଯାଇଥିବା ବେଳେ ଖାଲ ଖମାରରେ ଭର୍ତ୍ତି ହୋଇଗଲାଣି ରାସ୍ତା। ଯାହା ଫଳରେ ଗାଡି ଚାଳକ ମାନଙ୍କ ପାଇଁ ରାସ୍ତାଟି ବିପଦ ସଂକୁଳ ସାଜିଛି। ଅନ୍ୟପକ୍ଷେ ରାସ୍ତାଟି ଧୁଳି ଧୂଆଁରେ ଭରପୁର ରହୁଥିବାରୁ ବାଇକ ଚାଳକ ଓ ପଥଚାରୀ ମାନେ ଅଣ ବିଶ୍ଵାସୀ ହେଉଥିବା ଦୃଶ୍ୟମାନ ହେଉଛି। କେବେ ସରିବ ଏ ରାସ୍ତା? ନର୍ଲା ଯାଏଁ ରାସ୍ତା କାମ ସରି ପାରି ନଥିବା ବେଳେ ଛତିକୁଡା ଆରମ୍ଭ ମୁଣ୍ଡରୁ ରାସ୍ତାଟି ଭାଙ୍ଗି ସାରିଲାଣି। ବୁରାଟ, ଗୋହିରାପଦର ରେଳ ଫାଟକ ପାଖରେ ନବ ନିର୍ମିତ ରାସ୍ତାର ସ୍ଥିତି ଦୟନୀୟ ହୋଇପଡିଛି। ନିମ୍ନ ମାନର କାମ କରୁଥିବା ଓ ଲୋକଙ୍କ ଜୀବନ ସହ ଖେଳୁଥିବା ଠିକାଦାରଙ୍କ ପ୍ରତି ପ୍ରଶାସନ କଣ ପଦକ୍ଷେପ ନେଉଛି? ଏହି ରାସ୍ତାରେ ବେହେରାପାଟି ପାଖରେ ସାନ୍ଦୁଲ ନଦୀ ଉପରେ ରହିଥିବା ସାନ୍ଦୁଲ ସେତୁ ସ୍ଥାନେ ସ୍ଥାନେ ଭାଙ୍ଗି ରଡ ସବୁ ବାହାରି ପଡି ବିପଦ ସଂକୁଳ ଅବସ୍ଥାରେ ଅଛି। ବ୍ରିଜ ଉପରେ ହୋଇଥିବା ବଡ ବଡ ଗାତ ପାଇଁ ଗାଡି ସବୁ ଦୁର୍ଘଟଣା ଗ୍ରସ୍ତ ହେଉଛି। ଆଗରୁ ଦୁଇ ଦୁଇଥର ଯାହି ତାହି ଭାବରେ ମରାମତି ହୋଇଛି ହେଲେ ଏହା ଧର୍ମକୁ ଆଖିଠାର ସଦୃଶ। ଦୁଇ ବର୍ଷ ଆଗରୁ ନିର୍ମିତ ବାଏପାସ ରାସ୍ତା ଭାଙ୍ଗି ସାରିଲାଣି ହେଲେ ନୂତନ ବ୍ରୀଜ ନିର୍ମାଣ ପାଇଁ ପ୍ରକ୍ରୀୟା ଆରମ୍ଭ ହେଉନି କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଭୁବନେଶ୍ୱର -ଭବାନୀପାଟଣା କୁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତ୍ୟହ ଶହ ଶହ ସଂଖ୍ୟାରେ ଗାଡି ମୋଟର ଏହି ରାସ୍ତା ଉପରେ ଚାଲୁଥିବା ବେଳେ ସାନ୍ଦୁଲ ବ୍ରିଜ ର ଅବସ୍ଥା ଦୟନୀୟ ହୋଇ ପଡିଛି। କେତେବେଳେ ଯେ ଏହା ଭାଙ୍ଗିଯିବ ତାର ଠିକ ଠିକଣା ନାହିଁ। ଏହି ବ୍ରିଜ ଉପରେ ଯାନ ବାହାନ ଗମନା ଗମନ ବେଳେ ବାହାରି ପଡିଥିବା ରଡ ଓ ବଡ ବଡ ଖାଲ ଯୋଗୁଁ ଯାନ ବାହାନ ପ୍ରତି ବିପଦ ସୃଷ୍ଟି ହେଉଛି। ଏହା ଉପରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେବାରୁ ପିଡବ୍ଲୁ ବିଭାଗ ପକ୍ଷରୁ ସୋମବାର ଦିନ ମେଟାଲ ମିସା ମାଟି ଆଣି ଖାଲ ସବୁକୁ ବିଭାଗ ପକ୍ଷରୁ ପୁରଣ କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ସ୍ଥାନୀୟ ଲୋକେ ଆପତ୍ତି ଅଭିଯୋଗ କରିବାରୁ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ଶ୍ରୀ ମୁର୍ମୁୁ ଏହା ଅସ୍ଥାୟୀ ଭାବରେ ଖାଲ ଗୁଡିକୁ ପୁରଣ କରାଯାଉଛି । କିଛିଦିନ ପରେ ଏହାରି ଉପରେ ପିଚୁ ପକାଯିବ ବୋଲି କହୁଛନ୍ତି। ଅନ୍ୟପକ୍ଷେ ଗତ ଦୁଇବର୍ଷ ତଳେ ବ୍ରିଜ ଭାଙ୍ଗିବା ଯୋଜନା ନେଇ ନଦୀର ତଳ ମୁଣ୍ଡରେ ନର୍ଲା ଅଗ୍ନିଶମ ବିଭାଗ ଅଫିସ ସାମନାରେ ଅସ୍ଥାୟୀ ବାଏପାସ ରୋଡ ନିର୍ମାଣ କରିଥିଲେ ଠିକାଦାର। ହେଲେ ଏହା ମଧ୍ୟ ଦୁଇ ବର୍ଷ ତଳେ ବନ୍ୟା ଜଳରେ ଭାଷି ଯାଇଥିବା ଦେଖିବାକୁ ମିଳିଥିଲା। କେବଳ ସାନ୍ଦୁଲ ବ୍ରୀଜ ବୋଲି ନୁହଁ। ଏହି ନିର୍ମାଣଧିନ ରାସ୍ତା ଉପରେ ଅନେକ ସ୍ଥାନରେ ଅଦ୍ୟାବଧି ପୋଲ ଗୁଡିକର ମଧ୍ୟ ନିର୍ମାଣ କାମ ସରିନି। ଦୁଇ ବର୍ଷ ହୋଇଗଲା ଅତି ମନ୍ଥର ଗତିରେ କାମ ଚାଲିଥିବାରୁ ଓ ଧୁଳି ଗୁଣ୍ଡରେ ରାସ୍ତା ଅଚ୍ଛାଦିତ ହେଉ ଥିବାରୁ ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଯଦି ଏଭଳି ଭାବରେ ରାସ୍ତା ନିର୍ମାଣ କାମ ଚାଲେ, ତାହେଲେ ରାସ୍ତା ସମ୍ପୂର୍ଣ୍ଣ ହେବା ପାଇଁ ଆଉ ଦୁଇ ବର୍ଷ ଲାଗିଯିବ। ସେତେ ବେଳକୁ ବୁରାଟ, ଛତିକୁଡ଼ା ଓ ଗୋହୀରାପଦର ପାଖର ରାସ୍ତା ଭାଙ୍ଗି ସାରିଥିବ। ଏଥିପ୍ରତି ଜିଲ୍ଲାପାଳ ମହୋଦୟ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।





