ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଆଡାବାଡ଼ି ଗ୍ରାମରେ ପାରମ୍ପରିକ ଭାବେ ଆୟୋଜିତ ୫ ଦିନିଆ ଘଣ୍ଟଯାତ୍ରା ବୁଧବାର ଦିନ ଶେଷ ହୋଇଛି। ଗ୍ରାମର ସୁଖ, ଶାନ୍ତି ଓ ସମୃଦ୍ଧି କାମନାରେ ପ୍ରତି ୫ ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରାରେ ଚଳିତ ବର୍ଷ ଗ୍ରାମବାସୀଙ୍କ ମଧ୍ୟରେ ଅପାର ଭକ୍ତି, ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା। ଗତ ମେ ୨୯ ତାରିଖରେ ବିଶ ମହାନନ୍ଦିଆଙ୍କ ଘରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଖଣ୍ଡାପାଟ ଆଣି ଘଣ୍ଟଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ପୂଜାରୀ ସନ୍ୟାସୀ କୌଶଲ୍ୟା, ସାଇବେଣି ମହାନନ୍ଦିଆ, ଲେଲିଆନ ମହାନନ୍ଦିଆ ଓ କଣ୍ଟିମା ମହାନନ୍ଦିଆଙ୍କ ନେତୃତ୍ୱରେ ପାଞ୍ଚ ଦିନ ଧରି ଗ୍ରାମଦେବୀ ମା’ ଠାକୁରାଣୀଙ୍କୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ଅବସରରେ ମା’ଙ୍କ ନିକଟରେ ବେଲପତ୍ର, ଫୁଲ, ଧୂପ, ଦୀପ ଆଦି ଅର୍ପଣ କରାଯିବା ସହ ଗ୍ରାମର କଲ୍ୟାଣ, ଭଲ ଫସଲ ଓ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଇଥିଲା। ପରମ୍ପରା ଅନୁଯାୟୀ ଭକ୍ତମାନେ ପୁଢ଼, ଛେଳି, କୁକୁଡ଼ା ଓ ପାରା ଆଦି ବଳି ଅର୍ପଣ କରିଥିଲେ। ସେହିପରି କଣ୍ଟାଗାଦିରେ ମା’ଙ୍କୁ ଝୁଲାଇବା ଭଳି ପୁରାତନ ରୀତିନୀତି ମଧ୍ୟ ପାଳନ କରାଯାଇଥିଲା। ଯାତ୍ରା ଅବସରରେ ବିଭିନ୍ନ ଧାର୍ମିକ, ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ, ବନ୍ଧୁ-ବାନ୍ଧବ ଓ ଅତିଥିମାନେ ଯୋଗ ଦେଇଥିଲେ। ଶେଷ ଦିନରେ ପୂର୍ଣ୍ଣାହୁତି, ସାମୂହିକ ପ୍ରାର୍ଥନା ଓ ପ୍ରସାଦ ସେବନ ପରେ ଘଣ୍ଟଯାତ୍ରାର ସମାପନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଗ୍ରାମର ପ୍ରାୟ ୮୦ଟି ପରିବାର ଘରପିଛା ୨ ହଜାର ଟଙ୍କା ଲେଖାଏ ଚାନ୍ଦା ସଂଗ୍ରହ କରି ଏହି ଘଣ୍ଟଯାତ୍ରାର ଆୟୋଜନ କରିଥିଲେ। ଗ୍ରାମବାସୀଙ୍କ ସହଯୋଗ, ଏକତା ଓ ଧାର୍ମିକ ଆସ୍ଥାର ଏହି ଅନନ୍ୟ ଉଦାହରଣ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ବିଷୟ ପାଲଟିଛି। ଏହି ପାରମ୍ପରିକ ଉତ୍ସବ ଗ୍ରାମର ସାମାଜିକ ଏକତା, ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାକୁ ଆହୁରି ସୁଦୃଢ଼ କରିଥିବା ଗ୍ରାମବାସୀମାନେ ମତ ପ୍ରକାଶ କରିଛନ୍ତି |





