ରାଣୀପୁର ଝରିଆଲ ଯୋଗିନୀ ପୀଠରେ ଜାତୀୟ ପତାକାର ଅପମାନ: ପ୍ରଶାସନର ନୀରବତାକୁ ନେଇ କ୍ଷୋଭ, ଆନ୍ଦୋଳନ ଚେତାବନୀ

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ଐତିହାସିକ ତଥା ପର୍ଯ୍ୟଟନ କ୍ଷେତ୍ର ରାଣୀପୁର ଝରିଆଲ ସ୍ଥିତ ଯୋଗିନୀ ପୀଠରେ ଜାତୀୟ ପତାକା ତ୍ରିରଙ୍ଗାର ଅପମାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ଦିନ ହେବ ପୀଠରେ ଲାଗିଥିବା ଜାତୀୟ ପତାକାଟି ଚିରି ଯାଇଥିଲେ ହେଁ, ପ୍ରଶାସନ ପକ୍ଷରୁ ଏହାକୁ ବଦଳାଇବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଜାତୀୟ ପତାକା ସଂହିତା (Flag Code of India) ଅନୁଯାୟୀ, କୌଣସି କ୍ଷେତ୍ରରେ ପତାକା ଚିରିଗଲେ କିମ୍ବା ମଳିନ ପଡ଼ିଲେ ତାହାକୁ ତୁରନ୍ତ ବଦଳାଇ ସମ୍ମାନର ସହ ନଷ୍ଟ କରିବା ନିୟମ ରହିଛି। ମାତ୍ର ପ୍ରଶାସନର ଏଭଳି ଅବହେଳାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ଗଭୀର କ୍ଷୋଭ ପ୍ରକାଶ କରି ଯୁବ ଆଦିବାସୀ ନେତା ତଥା କୋଶଳ ସଂଗ୍ରାମୀ କେକି ସିଂ ଭୋଇ ଏବଂ କୋଶଳ ସଂଗ୍ରାମୀ ଅନନ୍ତ ବାଗ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ସେମାନେ ସ୍ପଷ୍ଟ କରିଛନ୍ତି ଯେ, ଯଦି ଅତି ଶୀଘ୍ର ଚିରି ଯାଇଥିବା ପତାକାକୁ ହଟାଇ ସମ୍ମାନର ସହ ନୂତନ ପତାକା ସ୍ଥାପନ କରାନଯାଏ, ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ଆନ୍ଦୋଳନ କରାଯିବ। ଜାତୀୟ ପତାକା ପ୍ରତି ଏଭଳି ଅବହେଳା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେମାନେ ଦୃଢ଼ ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.