ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆସନ୍ତା ଜନଗଣନା-୨୦୨୭କୁ ସଫଳ ଓ ତ୍ରୁଟିମୁକ୍ତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲା ସ୍ତରୀୟ ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆରମ୍ଭ ହୋଇଛି। ଏହି ଶିବିର ୧୦ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଚାଲିବ।ପ୍ରଶିକ୍ଷଣର ଉଦଘାଟନୀ ଅଧିବେଶନରେ ଜିଲ୍ଲା ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ ଯୋଗଦେଇ ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ତାଙ୍କ ସହ ସହାୟକ ଜିଲ୍ଲାପାଳ ସୁବ୍ରତ କୁମାର ଘୋଷ, ସହକାରୀ ନିର୍ଦ୍ଦେଶକ ଜନଗଣନା ପ୍ରଫୁଲ୍ଲ କୁମାର ଦାସ ଏବଂ ଡାଟା ପ୍ରସେସିଂ ସହକାରୀ ଅଧିକାରୀ ମହେନ୍ଦ୍ର ପ୍ରସାଦ ମହାଳିକ ଉପସ୍ଥିତ ଥିଲେ। ଅଧିକାରୀମାନେ କହିଲେ, ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ହେଉଛି ଏକ ପ୍ରାମାଣିକ ଦଲିଲ। ଏଥିରେ ଜିଲ୍ଲାର ପ୍ରଶାସନିକ ବିବରଣୀ, ଗ୍ରାମ ଓ ସହର ତାଲିକା, ଜନସଂଖ୍ୟା, ସାକ୍ଷରତା, କାର୍ଯ୍ୟନିୟୋଜନ, ମୌଳିକ ସୁବିଧା ଆଦି ତଥ୍ୟ ସଂକଳିତ ହୋଇଥାଏ। ଏହା ପ୍ରଶାସନ, ଯୋଜନା ପ୍ରସ୍ତୁତି, ଗବେଷଣା ଏବଂ ନୀତି ନିର୍ଦ୍ଧାରଣ ପାଇଁ ଅତ୍ୟନ୍ତ ଉପଯୋଗୀ।ଏହି ଶିବିରରେ ଜିଲ୍ଲାର ବିଭିନ୍ନ ତହସିଲରୁ ଆସିଥିବା ରାଜସ୍ବ ତତ୍ତ୍ବାବଧାରକ, ରାଜସ୍ବ ନିରୀକ୍ଷକ, ସହାୟକ ରାଜସ୍ବ ନିରୀକ୍ଷକ ଏବଂ ଅମିନମାନେ ଅଂଶଗ୍ରହଣ କରିଛନ୍ତି।
ପ୍ରଶିକ୍ଷଣରେ ହ୍ୟାଣ୍ଡବୁକ୍ ପ୍ରସ୍ତୁତିର ପଦ୍ଧତି, ତଥ୍ୟ ସଂଗ୍ରହ, ପ୍ରଶାସନିକ ସୀମାର ସଠିକତା, କୋଡିଂ ପ୍ରଣାଳୀ, ତଥ୍ୟ ଯାଞ୍ଚ ଏବଂ ଡିଜିଟାଲ୍ ତଥ୍ୟ ପରିଚାଳନା ଉପରେ ବିସ୍ତୃତ ତାଲିମ ଦିଆଯାଉଛି। ସେହିପରି ଗ୍ରାମ-ସହର ଅଦ୍ୟତନ ବିବରଣୀ, ମାନଚିତ୍ର ପ୍ରସ୍ତୁତି ଏବଂ ତଥ୍ୟର ଶୁଦ୍ଧତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଜନଗଣନା-୨୦୨୭ରେ ଡିଜିଟାଲ୍ ତଥ୍ୟ ସଂଗ୍ରହ ଏବଂ ଅନଲାଇନ୍ ପରିଚାଳନାକୁ ପ୍ରାଥମିକତା ଦିଆ ଯାଉଥିବାରୁ କର୍ମଚାରୀମାନଙ୍କୁ ନୂତନ ପ୍ରଯୁକ୍ତି, ତଥ୍ୟର ଗୋପନୀୟତା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୁଣାତ୍ମକ ତଥ୍ୟ ପ୍ରସ୍ତୁତି ବିଷୟରେ ଦକ୍ଷତା ପ୍ରଦାନ କରାଯାଉଛି। ଅଧିକାରୀମାନେ ଆଶା ବ୍ୟକ୍ତ କରିଛନ୍ତି ଯେ ଏହି ପ୍ରଶିକ୍ଷଣ ଫଳରେ ହ୍ୟାଣ୍ଡବୁକ୍ ପ୍ରସ୍ତୁତିରେ ଏକରୂପତା ଓ ସଠିକତା ବଜାୟ ରହିବ ଏବଂ ଜନଗଣନାର ଗୁଣାତ୍ମକ ମାନ ବୃଦ୍ଧି ପାଇବ। ଏହା ମାଧ୍ୟମରେ ଭବିଷ୍ୟତର ବିକାଶମୂଳକ ଯୋଜନା ପାଇଁ ନିର୍ଭରଯୋଗ୍ୟ ତଥ୍ୟ ମଧ୍ୟ ମିଳିପାରିବ।





