ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦେଇ ପ୍ରବାହିତ ହେଉଥିବା ତେଲ ନଦୀ ବନ୍ୟାରେ ଫସି ରହିଥିବା କାର୍ଲି ଗ୍ରାମର ୬ ଜଣଙ୍କୁ ଉଦ୍ଧାର କରିଛି ବ୍ଲକ ପ୍ରଶାସନ l ଆଜି ସକାଳ ପ୍ରାୟ ୪ ଘଣ୍ଟା ସମୟରେ ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ଗ୍ରାମପଞ୍ଚାୟତ କାର୍ଲି ଗ୍ରାମର ୬ ଜଣ ଚାଷୀ ନିଜ ଚାଷଜମିକୁ ଯାଇଥିବା ବେଳେ ହଠାତ୍ ବନ୍ୟା ପାଣି ମାଡି ଆସିବାରୁ ସେମାନେ ସେଠାରେ ଫସି ରହି ଯାଇଥିଲେ l ଗ୍ରାମବାସୀ ଏ ସଂକ୍ରାନ୍ତରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଜଣାଇଥିଲେ l ସଙ୍ଗେ ସଙ୍ଗେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ଗୋଲାମୁଣ୍ଡା ବିଡ଼ିଓ ବିଶ୍ୱନାଥ ରାଉତ,ଅତିରିକ୍ତ ତହସିଲଦାର ଅନୁଭବ ମହାନ୍ତି,ରେଙ୍ଗସାପାଲି ସରପଞ୍ଚ ପ୍ରତିନିଧି ସନ୍ତୋଷ ବୁଦ୍ଧିଆ ଓ ଗୋଲାମୁଣ୍ଡା ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଇଥିଲେ l ଅଗ୍ନିଶମ ବାହିନୀ ଏକ ବୋଟ ଜରିଆରେ ୬ ଜଣ ଚାଷୀଙ୍କୁ ବନ୍ୟା ଘେରରୁ ଉଦ୍ଧାର କରିଥିଲେ l ଉଦ୍ଧାର ହୋଇଥିବା ଚାଷୀମାନେ ହେଲେ ସୁଶାନ୍ତ ବିଶ୍ୱାଳ, ବିଭୁତି ବୁଦ୍ଧିଆ, ଉମା ବୁଦ୍ଧିଆ, ଯୁଜେଷ୍ଟି ବୁଦ୍ଧିଆ, ନିରଞ୍ଜନ ହଂସ ଓ ଘନଶ୍ୟାମ ବୁଦ୍ଧିଆ l





