ପ୍ରତିଫଳିତ ହେଲା ଆଦି ଧର୍ମାଚାରର ଝଲକ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଦିମ କାଳରୁ କଳାହାଣ୍ଡିର ଧର୍ମାଚାର ଅରଣ୍ୟ ଏବଂ କୃଷି ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ହୋଇ ଆସିଛି। ଅରଣ୍ୟଜୀବୀ ସଭ୍ୟତାରୁ କୃଷିଜୀବୀ ସଭ୍ୟତାର ଲମ୍ବା ଯାତ୍ରାର ସ୍ମାରକୀ ବହନ କରିଆସିଛି ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରା। ପିତୃ ଓ ପ୍ରକୃତି ଉପାସନା ଆଦି ଧର୍ମାଚାରର ପ୍ରତିକ ଭାବେ ଆଜି ମଧ୍ୟ କଳାହାଣ୍ଡିରେ ଦୃଶ୍ୟମାନ ହୁଏ। ଏହି କ୍ରମରେ କୃଷି ସହ ସହବନ୍ଧିତ ହୋଇ ଆସୁଛି ଅନେକ ଲୋକ ଅନୁଷ୍ଠାନ ଓ ପର୍ବପର୍ବାଣୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ଅଦିବାସୀ ବହୁଳ ଗ୍ରାମ ଖଲିଗଡ଼ ଠାରେ ପାଳିତ ହୋଇଥିବା ପାଟରାଣୀଙ୍କ ଯାତ୍ରାରେ ଆଦି ଧର୍ମାଚାରର ଝଲକ ଝଲ ଝଲ ହୋଇ ପ୍ରତିଫଳିତ ହୋଇଛି। ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ଶେଷ ସୋମବାର ଦିନ ପାଟରାଣୀଙ୍କ ଯାତ୍ରା ପର୍ବ ପାଳନ କରାଯାଇଥାଏ। ବିଧି ଅନୁଯାୟୀ ଗ୍ରାମବାସୀ ସକାଳୁ ସକାଳୁ ମନ୍ଦିର ଅଭିମୁଖେ ବାହାରିଯାଇ ଥିଲେ। ମାଁ ପାଟରାଣୀଙ୍କ ସମେତ ଦେବୀ କପାଟଦରେନ୍, କୋଲାଜାନୀ, କଲାକଆଁର, ବାଆଦୀ, କଆଁର, ସାତ ଭଉଣୀ ଜଳ କାମହିନି ଆଦି ଦେବାଦେବୀଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପୁଜକ ମାନସିଂ ପୁଝାରୀ ଓ ଧନେଶ୍ୱର ପୁଝାରୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ଶିରା ନରସିଂ ଚଲାନ, ନବେ ମାଝୀ ସହଯୋଗ କରିଥିଲେ। ଗନ୍ତିଆ ଗୋବର ମାଝୀ, ଗଣା ଖଗେଶ୍ଵର ମହାନନ୍ଦ, ସେବକ ରାମସିଂ ବାଗ ଓ ଭିବିଷଣ ନାଏକ, ଭୁବନେ ଲଦୂଆ ପ୍ରମୁଖ ସହ ପରିଚାଲନା କମିଟିର ପଦୁ ନାଏକ, ପଦ୍ମନ ଚଳାନ, ବିରେନ କନ୍ଧ, ବନୁ ମାଝା ସୁକଚନ୍ ମାଝୀ, ତ୍ରିନାଥ ପୁଝାରୀ, ପୁରୁନ୍ କନ୍ଧ, ଜଗନ୍ନାଥ ପୁଝାରୀ, ଜୟସିଂଙ୍ଗ ମାଝୀ, ଅମୃରୁ ମାଝୀ, ଧର୍ମୁ ମାଝୀ, କୁମ ମାଝୀ ସମେତ ଗ୍ରାମବାସୀ ଉପସ୍ଥିତ ରହିଥିଲେ।





