ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ବୁଧବାର ବଡି ଭୋରରୁ ଆରମ୍ଭ ହୋଇ ଗୁରୁବାର ସକାଳ ୭ ଟା ରୁ ୧୦ ମଧ୍ୟରେ ହୋଇଥିବା ୮୩ ମିଲି ମିଟର ବର୍ଷାରେ ନର୍ଲାର ବହୁ ପ୍ରାଚୀନ ବାବା ଧବଳେଶ୍ୱରଙ୍କ ମନ୍ଦିର ଭିତରେ ପାଣି ପଶି ଶିବ ଲିଙ୍ଗ ପ୍ରାୟତଃ ବୁଡି ଯାଇଥିବା ଦେଖିବାକୁ ମିଳିଥିଲା। ଦିନ ତମାମ ବାରମ୍ବାର ବର୍ଷା ହେବା ଫଳରେ ନର୍ଲା ବସଷ୍ଟାଣ୍ଡ ସମ୍ମୁଖରେ ରହିଥିବା ବ୍ୟବସାୟୀ ବିଜୟ ଚୌଧୁରୀଙ୍କ ଘରେ ପ୍ରାଇମେରୀ ସ୍କୁଲ ପଟୁ ବର୍ଷା ପାଣି ମାଡି ଆସି ପଶିଯିବା ଫଳରେ ଘରେ ରହିବା ଅନେକ ଅସୁବିଧା ହୋଇଥିଲା। ଏହାପରେ ଘର ମାଲିକ ଶ୍ରୀ ଚୋଧୁରୀ ପମ୍ପ ଯୋଗେ ପାଣି ନିଷ୍କାସନ କରିଥିଲେ। ସେହିଭଳି ନର୍ଲାରୋଡ ଷ୍ଟେସନ ଛକରେ ରହିଥିବା ଘର ଗୁଡିକରେ ବର୍ଷା ପାଣି ପଶି ଯାଇଥିବା ଦେଖିବାକୁ ମିଳିଥିଲା। ପ୍ରତିବର୍ଷ ଲଗାଣ ବର୍ଷା ହେଲେ ନର୍ଲାରୋଡ ରାସ୍ତାରୁ ତଳେ ରହିଥିବା ଘର ଗୁଡିକରେ ଷ୍ଟେସନ ଷ୍ଟାଫ କ୍ୱାର୍ଟର ପଟୁ ପାଣି ଆସି ପଶି ଯାଇଥାଏ। ଅଗ୍ନିଶମ ବିଭାଗ ଆସି ଜଳ ନିଷ୍କାସନ କରିଥାନ୍ତି। ଏହି ବର୍ଷାଦିନେ ପାଣି ପଶିବା ଫଳରେ ଷ୍ଟେସନ ପାର୍ଶ୍ୱ ରାସ୍ତାରୁ ତଳିଆ ଘର ସବୁର ଲୋକେ ମାସ ମାସ ଧରି ଜମ ଯନ୍ତ୍ରଣା ଭୋଗିଥାଆନ୍ତି।





