ସଫେଇ ସାମଗ୍ରୀ ଗୋଦାମରେ ଲାଗିଲା ନିଆଁ, ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ସନ୍ଦେହ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍) ପରିସରରେ ମଙ୍ଗଳବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରେଡକ୍ରସ୍ କ୍ୟାବିନ୍ ସମ୍ମୁଖରେ ଥିବା ଷ୍ଟକ୍ ରୁମ୍ ବା ଗୋଦାମ ଗୃହରେ ହଠାତ୍ ନିଆଁ ଲାଗିଯିବାରୁ ହସ୍ପିଟାଲ ପରିସରରେ ଆତଙ୍କ ଖେଳିଯାଇଥିଲା। ତେବେ ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଫଳରେ ହସ୍ପିଟାଲରେ ଚିକିତ୍ସାଧୀନ ଶତାଧିକ ରୋଗୀ ସୁରକ୍ଷିତ ରହିଛନ୍ତି। ସୂଚନା ଅନୁଯାୟୀ, ଆଜି ହଠାତ୍ ଉକ୍ତ ଗୋଦାମ ଗୃହରୁ ପ୍ରବଳ କଳା ଧୂଆଁ ବାହାରିବା ସହ ନିଆଁ ଦ୍ରୁତଗତିରେ ବ୍ୟାପିବାକୁ ଲାଗିଥିଲା। ଗୋଦାମ ଭିତରେ ବହୁ ପରିମାଣରେ ଫିନାଇଲ୍, ଏସିଡ୍, କପଡ଼ା ଓ ସ୍ପିରିଟ୍ ଭଳି ଜ୍ୱଳନଶୀଳ ସଫେଇ ସାମଗ୍ରୀ ଗଚ୍ଛିତ ଥିବାରୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା। ଧୂଆଁରେ ସମଗ୍ର ଅଞ୍ଚଳ ଆଚ୍ଛାଦିତ ହୋଇଯିବାରୁ ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ଅକ୍ଳାନ୍ତ ଉଦ୍ୟମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା। ଅଗ୍ନିଶମ ବାହିନୀର ସମୟୋଚିତ ପଦକ୍ଷେପ ଯୋଗୁଁ ନିଆଁ ହସ୍ପିଟାଲର ଅନ୍ୟ ଅଞ୍ଚଳକୁ ବ୍ୟାପିବାରୁ ରୋକାଯାଇପାରିଥିଲା। ପ୍ରାଥମିକ ତଦନ୍ତରୁ ବୈଦ୍ୟୁତିକ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ନିଆଁରେ ଗୋଦାମ ଗୃହରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ କୌଣସି ଜୀବନହାନି କିମ୍ବା କେହି ଆହତ ହୋଇନଥିବା ଆଶ୍ୱସ୍ତିର ବିଷୟ।ବର୍ତ୍ତମାନ ହସ୍ପିଟାଲ ପରିସରରେ ସ୍ଥିତି ସ୍ୱାଭାବିକ ରହିଥିବା ବେଳେ ରୋଗୀ ସେବା ଅବ୍ୟାହତ ରହିଛି। ତେବେ ହସ୍ପିଟାଲ ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଜ୍ୱଳନଶୀଳ ସାମଗ୍ରୀର ସଂରକ୍ଷଣ ଓ ଅଗ୍ନିନିରାପତ୍ତା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ଜାଣିବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।





