ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ଅନ୍ତର୍ଗତ ଗୋରକଲ ଗ୍ରାମରେ ଯାଦବ ସମାଜ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଆୟୋଜିତ ଉକ୍ତ ମହୋତ୍ସବରେ ଗିରିରାଜ ଗୋବର୍ଦ୍ଧନଙ୍କ ସହ ଯଦୁପତି ଶ୍ରୀକୃଷ୍ଣଙ୍କ ଉପାସନା କରାଯିବା ସହ ଅନ୍ନ ଯଜ୍ଞ, ଗୋ ପୂଜନ, ଅନ୍ନ କୁଟ ଭାଗବତ ପାରାୟଣ ଆଦି ଅନୁଷ୍ଠିତ ହୋଇଥିଲା। ଯଜ୍ଞ କର୍ତ୍ତା ଭାବେ ମଦନ ଭୋଇ ଓ ତାଙ୍କ ଧର୍ମପତ୍ନୀ ମାଧବୀ ଭୋଇ ଥିବାବେଳେ ବ୍ୟାସ ଭାବେ ବନମାଳୀ ଖାଡଙ୍ଗା, ପୂଜକ ଭାବେ ବିଷ୍ଣୁ ଖାଡଙ୍ଗା ଓ ବକ୍ତା ଭାବେ ଗୋପାଳ ପାଢ଼ୀ ପ୍ରମୁଖ ଦାଇତ୍ୱ ନିର୍ବାହ କରିଥିଲେ। ରାତିରେ ଗୀତିନାଟ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। ଏଥିରେ ଯାଦବ ସମାଜ ସହ ଗୋରକଲ ଗ୍ରାମବାସୀ ଓ କୁର୍ମେଲ ଗ୍ରାମପଞ୍ଚାୟତବାସୀ ସହଯୋଗ କରୁଛନ୍ତି। ଏହି ଅବସରରେ ନର୍ଲା ବ୍ଳକ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ସାଧାରଣ ସମ୍ପାଦକ ମଧୁସୂଦନ ରାଉତ, ବାଗପୁର ଗୌନ୍ତିଆ ଥବିର ବାଗ, ବରିଷ୍ଠ ଯାଦବ ନେତା ଜଗତ ରାମ ଭୋଇ, ବାବୁଲାଲ ବାଗ ପ୍ରମୁଖ ଉପସ୍ଥିତ ରହି ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ। ସଭାପତିଙ୍କ ଅଭିଭାଷଣ ତଥା ଶ୍ରୀ ରାଉତଙ୍କ ଭାଗବତ ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।






