ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ଜାତୀୟ ପ୍ରେସ୍ ଦିବସ ଅବସରରେ ନୂଆପଡ଼ା ଜିଲ୍ଲା ସିନାପାଲିସ୍ଥିତ ସଭାଗୃହରେ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଇଛି। ଏହି ଅବସରରେ ସାମ୍ବାଦିକତାର ମୂଲ୍ୟବୋଧ, ଗଣମାଧ୍ୟମର ସାମାଜିକ ଦାୟିତ୍ୱ, ସାମ୍ବାଦିକଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ଦିଗରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରାଯାଇଥିଲା।
ସଂଘର ସଭାପତି ଜଗନ୍ନାଥ ସାଗରଙ୍କ ଉପସ୍ଥିତିରେ ଆୟୋଜିତ ଏହି ସଭାରେ ବନବିହାରୀ ମେହେର, ଚିନ୍ତାମଣୀ ନେତାମ, ଧର୍ମେନ୍ଦ୍ର କୁମାର ଗହିର, ଯୁଧିଷ୍ଠିର ମହାନନ୍ଦ, ପରମେଶ୍ୱର ମେହେର, ଯୌବନ ଗହିର, ଝଙ୍କେଶ୍ୱର ବନ୍ଦିଛୋର ଓ ଦିନେଶ ଛତ୍ରିଆ ପ୍ରମୁଖ ଉପସ୍ଥିତ ରହିଥିଲେ।
ଜାତୀୟ ପ୍ରେସ୍ ଦିବସ ହେଉଛି ଗଣମାଧ୍ୟମର ସ୍ୱାଧୀନତା, ଦାୟିତ୍ୱବୋଧ ଓ ନୈତିକତାକୁ ସ୍ମରଣ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ସାମ୍ବାଦିକମାନେ ସମାଜର ଦର୍ପଣ ଭାବେ କାର୍ଯ୍ୟ କରିବା ସହିତ ଗରିବ, ନିଷ୍ପେଷିତ, ଅବହେଳିତ ଓ ଅସହାୟ ଲୋକଙ୍କ ସମସ୍ୟାକୁ ସମାଜ ଓ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିବା ଆବଶ୍ୟକ। ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ମାଧ୍ୟମରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ଅର୍ଜନ କରିବା ସାମ୍ବାଦିକଙ୍କ ପ୍ରମୁଖ ଦାୟିତ୍ୱ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା। ବର୍ତ୍ତମାନ ସମୟରେ ଗଣମାଧ୍ୟମର ପରିସର ବ୍ୟାପକ ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରଣର ଗୁରୁତ୍ୱ ବୃଦ୍ଧି ପାଇଛି। ତେଣୁ ଖବରର ସତ୍ୟତା ଯାଞ୍ଚ କରିବା ଅପପ୍ରଚାରରୁ ଦୂରେଇ ରହିବା ଏବଂ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସାମ୍ବାଦିକଙ୍କ ମଧ୍ୟରେ ଏକତା ସହଯୋଗ ଓ ଭାଇଚାରା ବଜାୟ ରହିଲେ ସାମ୍ବାଦିକତାର ମର୍ଯ୍ୟାଦା ଆହୁରି ବୃଦ୍ଧି ପାଇବ। ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା, ଜନସାଧାରଣଙ୍କ ଅଭାବ ଅସୁବିଧା ଓ ବିକାଶମୂଳକ କାର୍ଯ୍ୟକୁ ପ୍ରାଥମିକତା ଦେଇ ସାମ୍ବାଦିକମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାମ୍ବାଦିକତାର ଗରିମା ଓ ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱକୁ ପୁନର୍ବାର ସ୍ମରଣ କରାଯାଇଥିଲା।





