କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ସ୍ଥିତ ଋଷି ସାହା ସାଂସ୍କୃତିକ ଭବନ ଠାରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ (କେଡିୟୁଜେ) ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି। ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଭାବେ ଇନସାଇଟ ଏରା ସମ୍ବାଦପତ୍ରର ସମ୍ପାଦକ ମନୋଜ କୁମାର ସତପଥି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରଓ୍ବାନ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରଓ୍ବାଲ, କେସିଙ୍ଗା ଏନଏସି ସାଂସଦ ପ୍ରତିନିଧି ବଣ୍ଟି ଜୈନ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ଜିଲ୍ଲା ମହାସଚିବ ସନ୍ତୋଷ କୁମାର ସିଂଦେଓ, ସଂଗଠନ ସମ୍ପାଦକ ଅଂଶୁମାନ ପାତ୍ର ପ୍ରମୁଖ ମଞ୍ଚାସୀନ ରହି ଜାତୀୟ ପ୍ରେସ ଦିବସ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ୟୁନିଅନ ପକ୍ଷରୁ ସାମ୍ବାଦିକ ସୁରକ୍ଷା ଆଇନ, ପେନସନ ବ୍ୟବସ୍ଥା ଆଦି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ସନ୍ତୋଷ କୁମାର ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିରଞ୍ଚି ନାରାୟଣ ଜାଲଙ୍କୁ ପ୍ରତିଭା ସମ୍ମାନ, ନରୋତ୍ତମ ସେଲମାଙ୍କୁ ବିଜୟ ଦ୍ବିବେଦୀ ସ୍ମୃତି ସମ୍ମାନ, ଅନିଲ କୁମାର ଅଗ୍ରୱାଲଙ୍କୁ ମହମ୍ମଦ ଅସଲମ ସ୍ମୃତି ସମ୍ମାନ, ପରମାନନ୍ଦ ବିଶିଙ୍କୁ ବୃନ୍ଦାବନ ମିଶ୍ର ସ୍ମୃତି ସମ୍ମାନ, ରମେଶ ନାଏକଙ୍କୁ ପ୍ରଭାକର ପଟ୍ଟନାୟକ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସନ୍ତୋଷ କୁମାର ସିଂଦେଓ, ହେମନ୍ତ ସାହୁ ଓ କେସିଙ୍ଗା ସାମ୍ବାଦିକ ୟୁନିଅନକୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକରୁ ବହୁ ସାମ୍ବାଦିକ ସାମିଲ ହୋଇଥିଲେ। କେସିଙ୍ଗା ସାମ୍ବାଦିକ ୟୁନିଅନ କାର୍ଯ୍ୟକ୍ରମକୁ ଆୟୋଜନ କରିବା ସହ ସଂଘର ସଦସ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.