ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜାତୀୟ ସ୍ତରରେ କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ବିରଜା ପ୍ରସାଦ ପଣ୍ଡା। ଶ୍ରୀକ୍ଷେତ୍ର ପୁରୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହରେ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ସହ ମର୍ଯ୍ୟାଦାଜନକ ‘ଭାରତ ଗୌରବ ସମ୍ମାନ’ ପ୍ରଦାନ କରାଯାଇଛି। ମସ୍କୋ ରିସର୍ଚ୍ଚ ୟୁନିଭର୍ସିଟି ଏବଂ କ୍ରେଡନ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ମିଳିତ ଆନୁକୂଲ୍ୟରେ ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଅତିଥି ଭାବେ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ସମ୍ମାନିତ କରିଥିଲେ। କଳାହାଣ୍ଡି ଅଞ୍ଚଳରେ ଗତ ୧୫ ବର୍ଷ ଧରି ‘ସ୍ୱସ୍ତି ହେଲଥ କେୟାର ସର୍ଭିସେସ୍’ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପରିଚାଳନା, ଯୁବ ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ‘ହେଲଥକେୟାର ଆଡମିନିଷ୍ଟ୍ରେସନ୍ ଆଣ୍ଡ ୟୁଥ୍ ଏମ୍ପାୱାରମେଣ୍ଟ’ ବିଭାଗରେ ଏହି ସମ୍ମାନସୂଚକ ପିଏଚ୍.ଡି ଉପାଧି ପ୍ରଦାନ କରାଯାଇଛି।ଏହି ସମାରୋହରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ତେବେ କଳାହାଣ୍ଡି ଜିଲ୍ଲାରୁ ଶ୍ରୀ ପଣ୍ଡା ଏକମାତ୍ର ପ୍ରତିନିଧି ଭାବେ ଏହି ସମ୍ମାନ ହାସଲ କରିଥିବା ଜଣାପଡ଼ିଛି। ତାଙ୍କର ଏହି ସଫଳତା ପରେ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।





