ଜନଜାତୀୟ ସଂଗ୍ରାମୀଙ୍କ ଅବଦାନ ଓ ଆଦିବାସୀ ଅସ୍ମିତାକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ, ଆଦିବାସୀ ଅସ୍ମିତା ଓ ରାଷ୍ଟ୍ର ନିର୍ମାଣରେ ଜନଜାତୀୟ ସମ୍ପ୍ରଦାୟର ଭୂମିକାକୁ ଗୁରୁତ୍ୱ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଜନଜାତୀୟ ଗୌରବ ଦିବସ ଅବସରରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI)ର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୪ ତାରିଖରେ ‘ସ୍ମୃତିରୁ ଊର୍ଦ୍ଧ୍ୱକୁ: ସମକାଳୀନ ଭାରତରେ ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ, ଆଦିବାସୀ ଅସ୍ମିତା ଓ ରାଷ୍ଟ୍ର ନିର୍ମାଣ’ ଶୀର୍ଷକ ଏହି ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ତାଙ୍କ ଅବଦାନର ସ୍ମରଣ ସ୍ୱରୂପ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଉଦ୍‌ଘାଟନୀ ଅଧିବେଶନରେ ପ୍ରାକ୍ତନ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି ଏବଂ ପ୍ରଫେସର ମାଗୁଣି ଚରଣ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ଏବଂ SCSTRTIର ସହକାରୀ ନିର୍ଦ୍ଦେଶକ ଡ. ସଂଘମିତ୍ରା ସେଠୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବିଭାଗୀୟ ମୁଖ୍ୟ ଡ. ସୁରେଶ ଚନ୍ଦ୍ର ମୁର୍ମୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ. ପରମାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଆଲୋଚନାଚକ୍ରର ବିଭିନ୍ନ ଅଧିବେଶନରେ ପ୍ରଫେସର ଦେବେନ୍ଦ୍ର କୁମାର ବିଶ୍ୱାଳ ଓ ପ୍ରଫେସର କାହ୍ନୁ ଚରଣ ଶତପଥୀ ଅଧ୍ୟକ୍ଷତା କରିଥିଲେ। ପ୍ରାକ୍ତନ ପ୍ରଫେସର ସୋମା ଚାନ୍ଦ, ପ୍ରଫେସର ନାକୁ ହାଁସଦା, ଡ. ମନୋହର ଚୌହାନ ଓ ଡ. ବିଭୁ କଲ୍ୟାଣ ମହାନ୍ତି ବିଭିନ୍ନ ପ୍ରସଙ୍ଗରେ ନିଜର ଗବେଷଣାଭିତ୍ତିକ ମତ ଉପସ୍ଥାପନ କରିଥିଲେ।

ଜନଜାତୀୟ ପ୍ରତିରୋଧ ଓ ସଂଗ୍ରାମର ଇତିହାସକୁ ଲୋକଲୋଚନକୁ ଆଣିବା, ମୌଖିକ ପରମ୍ପରାକୁ ଐତିହାସିକ ସ୍ୱୀକୃତି ପ୍ରଦାନ, ଜଙ୍ଗଲ ଅଧିକାର ଆଇନ-୨୦୦୬ର କାର୍ଯ୍ୟକାରିତାରେ ଗ୍ରାମସଭାର ଭୂମିକା ଏବଂ ପାରମ୍ପରିକ ପରିବେଶଗତ ଜ୍ଞାନର ସଂରକ୍ଷଣ ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ।

ଉଦ୍‌ଯାପନୀ ଅଧିବେଶନରେ ପ୍ରଫେସର ପ୍ରସନ୍ନ କୁମାର ପାତ୍ର ଜନଜାତୀୟ ଆନ୍ଦୋଳନର ଦଲିଲୀକରଣ ଏବଂ ଆନ୍ତଃବିଭାଗୀୟ ଗବେଷଣାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଜନଜାତୀୟ ସମ୍ପ୍ରଦାୟକୁ କେବଳ ଇତିହାସର ସଂଗ୍ରାମୀ ଭାବେ ନୁହେଁ, ବରଂ ରାଷ୍ଟ୍ର ନିର୍ମାଣର ସକ୍ରିୟ ଓ ଅବିଚ୍ଛେଦ୍ୟ ସହଭାଗୀ ଭାବେ ସ୍ୱୀକୃତି ଦେବାକୁ ଆଲୋଚନାଚକ୍ରରେ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଡ. ପ୍ରିୟଙ୍କା ଖୁରାନା, ଶ୍ରୀ ସୁବ୍ରତ କୁମାର ନାୟକ ଏବଂ ଡ. ବିଜୟିନୀ ମହାନ୍ତି ସଂଯୋଜନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.