ନର୍ଲା ଡଙ୍ଗରତଲ ପଡା ‘ମା ମାଉଲି ଫୁଟବଲ ନକ ଆଉଟ ଟୁର୍ଣ୍ଣାମେଣ୍ଟ’; ଟକର୍ଲା ଚମ୍ପିଅନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏନଏସି ଅଧିନସ୍ଥ ଡଙ୍ଗରତଲପଡା ଠାରେ ଗତ ୯/୧୧ ରୁ ୭ ଦିନ ଧରି ଚାଲି ଆସୁଥିବା “ମା ମାଉଲି ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ” ର ଫାଇନାଲ ଖେଳ ଟକର୍ଲା ଓ ମୁଣିଂ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟକର୍ଲା ମୁଣିଂ ଏକାଦଶ କୁ ୨-୧ ଗୋଲ ଦେଇ ବିଜୟୀ ହେବା ସହ ଚମ୍ପିଅନ ହୋଇଥିଲା। ମା ମାଉଲି କ୍ଲବ ଡଙ୍ଗରତଲ ପଡା ଆନୁକୂଲ୍ୟରେ ୯/୧୧ ସୋମବାର ଦିନ ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ ଆୟୋଜକ ଡଙ୍ଗରତଲପଡା ଓ ମୁଣିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଣିଂ ବିଜୟୀ ହୋଇଥିଲା।

ଏହି ନକଆଉଟ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଡଙ୍ଗରତଲପଡା, ମୁଡିଂ, ଚିଚର୍ଲା, ଦାଦପୁର, ଟକର୍ଲା, ବଗାଡ, ସଞ୍ଜୀବ ଏକାଦଶ, ନର୍ଲା ଏଭଳି ୮ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ। ରବିବାର ଅନୁଷ୍ଠିତ ଫାଇନାଲ ଖେଳ ବେଶ ଚିତାକର୍ଷକ ହୋଇଥିଲା। ଧୁଆଁଧାର ଲଢେଇ ରେ ମଧ୍ୟାନ୍ତର ବିରତି ପୂର୍ବରୁ ଟକର୍ଲା ଏକାଦଶ ମୁଣିଂକୁ ଗୋଟିଏ ଗୋଲ ଦେଇ ଆଗୁଆ ରହିଥିଲା ହେଲେ ମଧ୍ୟାନ୍ତର ପରେ ମୁଣିଂ ଟକର୍ଲାକୁ ଗୋଟିଏ ଗୋଲ ଦେଇ ମ୍ୟାଚକୁ ଡ୍ର କରିବାରେ ସମର୍ଥ ହୋଇଥିଲା। ଶେଷରେ ରେଫରୀଙ୍କ ନିଷ୍ପତି କ୍ରମେ ଟ୍ରାଇବେକର ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତିପକ୍ଷ ବିପକ୍ଷକୁ ୫ ଗୋଟି ଲେଖାଏଁ ପେନାଲ୍ଟି ସଟ ମାରିଥିଲେ। ଏଥିରେ ଟକର୍ଲା ଦଳ ୨-୧ ଗୋଲରେ ମ୍ୟାଚ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟ ଚମ୍ପିଆନ ହୋଇଥିଲା।

ପୁରସ୍କାର ବିତରଣୀ ଉତ୍ସବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ନର୍ଲା ସରପଞ୍ଚ ସଂଘର ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଯୁବନେତା ଟୁଟୁ ସେଠୀ, ତ୍ରୀଲୋଚନ ମାଝୀ, ମନ୍ମଥ ପୁଝାରୀ ପ୍ରମୁଖ ମଞ୍ଚାସୀନ ହୋଇ ବିଜୟୀ ଟକର୍ଲା କୁ ଟ୍ରଫି ସହ ୧୦,୦୦୦ ଟଙ୍କା ନଗଦ ରାଶି ଓ ଉପବିଜେତା ମୁଣିଂ ଦଳକୁ ଟ୍ରଫି ସହ ୭,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ମ୍ୟାନ ଅଫ ଦ ମ୍ୟାଚ ଭାବରେ ଟକର୍ଲା ଦଳର କୈଳାସ ମାଝୀ ଓ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ଭାବରେ ମୁଣିଂ ଦଳର ନରେଶ ମାଝୀଙ୍କୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା।

ଟୁର୍ଣ୍ଣାମେଣ୍ଟର ମ୍ୟାଚ ପରିଚାଳକ ରେଫରୀ ସନ୍ତୋଷାନନ୍ଦ ନାଏକ, ସୁରେଶ ଚନ୍ଦ୍ର ନାଏକ, ଚୌଧୁରୀ ମାଝୀ, ନାରାୟଣ ପଧାନ, ଟ୍ରିଲୋଚନ ଗଉଡ଼ ପ୍ରମୁଖଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରବଣ ମାଝୀ ସ୍କୋରବୋର୍ଡ ପରିଚାଳନା କରିଥିବା ବେଳେ କିଶୋର ମାଝୀ ଧାରା ବିବରଣୀ ପ୍ରଦାନ କରିବା ସହ ପୁରସ୍କାର ବିତରଣୀ ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ।

ସାତଦିନ ବ୍ୟାପୀ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟକୁ ଯୁବ ନେତୃତ୍ୱ ଘାସିରାମ ମାଝୀ ପରିଚାଳନା କରିଥିଲେ।କ୍ଲବର ବରିଷ୍ଠ ସଦସ୍ୟ ଲକ୍ଷ୍ମଣ, ସୁରେଶ, ସନ୍ତୋଷ, ସୁମନ୍ତ, ସୁଦାମ, ହରି, ନେପାଳ, ଶତୃଘନ, କେଦାର, ରଙ୍କ, କାଳିଆଙ୍କ ସମେତ ଅନ୍ୟ ସଦସ୍ୟ ମାନେ ମଧ୍ୟ ପରିଚାଳନାରେ ସହଯୋଗ କରିଥିଲେ।ଇତ୍ୟବସରରେ ନର୍ଲା ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନ୍ତି ବିଧାୟୀକା ପାଣ୍ଠି ରୁ ୫,୦୦,୦୦୦ ଟଙ୍କା ଅନୁଦାନ ରାଶି ଦେଇଥିବା ନୂଆ ଖେଳ ପଡିଆର ନାମାଙ୍କନ ଫଳକ ଉନ୍ମୋଚନ କରିଥିଲେ। ଏବଂ ଆଗାମୀ ଦିନରେ ଏହି ନୂଆ ଖେଳ ପଡିଆ ଚତୁଃ ପାଶ୍ୱର୍ରେ ଆଲୋକି କରଣ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ କ୍ଲବର ବରିଷ୍ଠ ସଦସ୍ୟ କିଶୋର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.