ପରବ ଉଦ୍‌ଘାଟନରେ ବିଧାୟକ ଥିଲେ, ଫଟୋରେ ଗାଏବ!

ଜିଲ୍ଲା ପ୍ରଶାସନର ୱେବସାଇଟ୍‌ ଓ ଫେସବୁକ୍‌ ପୋଷ୍ଟକୁ ନେଇ ଚର୍ଚ୍ଚା, ସୂଚନା ବିଭାଗର ନିରବତା ଉପରେ ପ୍ରଶ୍ନ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟର ଗଣପର୍ବ ‘ପରବ’ର ଶୁଭାରମ୍ଭ କୁନ୍ଦ୍ରା ବ୍ଲକ୍‌ର ବାଗବେଡ଼ି ଠାକୁରାଣୀ ମନ୍ଦିରରୁ ହୋଇଛି। ଏହି ଅବସରରେ ଜିଲ୍ଲାର ୧୪ଟି ବ୍ଲକ୍‌କୁ ମଶାଲ ପ୍ରେରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ପାଞ୍ଚଜଣ ବିଧାୟକଙ୍କ ସମେତ ବହୁ ଜନପ୍ରତିନିଧି ଓ ଅଧିକାରୀ ଯୋଗଦେଇଥିଲେ। ହେଲେ ଜିଲ୍ଲା ପ୍ରଶାସନର ଅଧିକାରିକ ୱେବସାଇଟ୍‌ ଓ ଫେସବୁକ୍‌ରେ ପ୍ରକାଶିତ ଫଟୋରେ ବିଧାୟକମାନଙ୍କୁ ସ୍ଥାନ ନମିଳିବା ଚର୍ଚ୍ଚାର ବିଷୟ ହୋଇଛି।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ବିଧାୟକ ରଘୁରାମ ମାଛ, ରୂପୁ ଭତ୍ରା, ପବିତ୍ର ସାଉଁତା, ତାରାପ୍ରସାଦ ବାହିନୀପତି, ରାମଚନ୍ଦ୍ର କାଡ଼ାମ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଓ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟଙ୍କ ସମେତ ଅନ୍ୟ ଅତିଥି ଉପସ୍ଥିତ ଥିଲେ। ତେବେ ପ୍ରଶାସନର ଅଧିକାରିକ ଫଟୋରେ ଜନପ୍ରତିନିଧିଙ୍କ ଅନୁପସ୍ଥିତି ଏବଂ ସାମ୍ବାଦିକଙ୍କ ପାଇଁ ଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ମଧ୍ୟ କାର୍ଯ୍ୟକ୍ରମର ଫଟୋ କିମ୍ବା ସୂଚନା ପ୍ରକାଶ ନହେବାକୁ ନେଇ ପ୍ରଶ୍ନ ଉଠିଛି। ପରବ କୋରାପୁଟର ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରାର ପ୍ରତୀକ। ଏଭଳି ଜିଲ୍ଲାସ୍ତରୀୟ ଉତ୍ସବରେ ସୂଚନା ପ୍ରସାରଣରେ ଏପରି ଅସଙ୍ଗତି କାହିଁକି? ଏହା ଅସାବଧାନତା ନା ଅନ୍ୟ କୌଣସି କାରଣ, ତାହାର ସ୍ପଷ୍ଟୀକରଣ ଜିଲ୍ଲା ପ୍ରଶାସନ ଓ ସୂଚନା ବିଭାଗ ଦେବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.