ସମାଜ ସଂସ୍କାର ସହ ଭାବଭକ୍ତି ଓ ସଂସ୍କୃତିର ଅନନ୍ୟ ନିଦର୍ଶନ ଗୋପାଳପୁର ଲକ୍ଷ୍ମୀପୂଜା

ମନମୋହିଲା ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା

ଲାଞ୍ଜିଗଡ଼,୧୩/୧୨ : ସମାଜରେ ଉଚ୍ଚ ନିଚ୍ଚର ପାଚେରୀ ଭାଙ୍ଗିବାରେ ମହାପୁରୁଷ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣର ଭୂମିକା ଗୁରୁତ୍ବପୂର୍ଣ୍ଣ । ଶ୍ରୀଜଗନ୍ନାଥ, ବଳରାମ ଓ ମହାଲକ୍ଷ୍ମୀଙ୍କ ଗାଥା ମାଧ୍ୟମରେ ତତ୍କାଳୀନ ସମାଜର ବାସ୍ତବ ଚିତ୍ର ପ୍ରତିଫଳନ କରିଛନ୍ତି କବି ବଳରାମ ଦାସ । ଜାତିଭେଦର ନମ୍ନ ମାନସିକତାରୁ ଦୂରେଇ ମଣିଷର ଏକମାତ୍ର ପରିଚୟକୁ କାୟମ ରଖିବା ସହିତ ଆଧ୍ୟାତ୍ମିକ ପରିବେଶରେ ମଣିଷକୁ ଭଲ ପାଇବାର ବାଟ ଦେଖାଉଥିବା ଲକ୍ଷ୍ମୀପୁରାଣ ନିଶ୍ଚିତ ଭାବେ ଏକ ଅଦ୍ୱିତୀୟ ଗ୍ରନ୍ଥ । ସମାଜରେ ବିଶେଷ କରି ଗାଁ ଗହଳିରେ ଥିବା ଅନ୍ଧବିଶ୍ୱାସ, କୁସଂସ୍କାରକୁ ଦୂରେଇଦେଇ ଏକ ନୀତି ଓ ନ୍ୟାୟବନ୍ତ ଭାବେ ସମାଜରେ କିପରି ଚଳିବାକୁ ହୁଏ ତାହା ଆମକୁ ଲକ୍ଷ୍ମୀପୁରାଣ ଶିଖାଇଥାଏ । ମହାଲକ୍ଷ୍ମୀଙ୍କ ପୂଜା ସହିତ ମଣିଷ ମଧ୍ୟରେ ସାମ୍ୟଭାବର ଉଦ୍ରେକ ପାଇଁ ମହାପୁରୁଷ ବଳରାମ ଦାସ ଗତ ଛଅଶହ ବର୍ଷ ତଳେ ହିଁ ଲକ୍ଷ୍ମୀପୁରାଣ ଜରିଆରେ ଏକ ବାଟ ଦେଖାଇଯାଇଛନ୍ତି । ଆଜି ଆମକୁ ସେଇ ନିର୍ଦ୍ଧାରିତ ବାଟରେ ଚାଲି ମଣିଷ ମଣିଷ ମଧ୍ୟରେ ଥିବା ଭେଦଭାବ, ଅସହିଷ୍ଣୁତାକୁ ଦୂର କରିବାକୁ ହେବ ବୋଲି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରା.ପ. ଗୋପାଳପୁରଠାରେ ଆୟୋଜିତ ଲକ୍ଷ୍ମୀପୂଜାଠାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଅନ୍ତର୍ଗତ ସଂସ୍କୃତି ସଂପନ୍ନ ଗ୍ରାମ ଗୋପାଳପୁର ଠାରେ ସପ୍ତମ ବର୍ଷରେ ପଦାର୍ପଣ କରିଛି ଲକ୍ଷ୍ମୀପୂଜା । ଅନେକ ଦୃଷ୍ଟିରୁ ଏହା ନିଜପ ସ୍ୱତନ୍ତ୍ରତା ପ୍ରତିପାଦନ କରେ । ଗାଁର ଧନୀ-ଗରିବ ତଥା ସମସ୍ତ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗରେ ଆୟୋଜିତ ପୂଜନୋତ୍ସବର ପ୍ରତିଟି ଦିନ ଆଧ୍ୟାତ୍ମିକ ଭାବମୟ ପରିବେଶ ସୃଷ୍ଟି କରୁଥିବାବେଳେ ପ୍ରତିଟି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ହଜାର ହଜାର ଜନସାଧାରଣଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥାଏ ।

ଚଳିତ ବର୍ଷ କର୍ତ୍ତା ଭାବେ ପଟେତ ବିଶ୍ୱାଳ ସପତ୍ନୀକ ଗୁରୁଦାୟିତ୍ବ ତୁଲାଉଥିବାବେଳେ ପୂଜକ ଭାବେ ମଧୁସୂଦନ ପାଢୀ ଅବସ୍ଥାପିତ ହୋଇଛନ୍ତି । ତୁଲାଉଛନ୍ତି । ପୂଜନୋତ୍ସବର ପ୍ରଥମ ସନ୍ଧ୍ୟାରେ ଦୀର୍ଘ ପଚିଶ ବର୍ଷର ବ୍ୟବଧାନ ପରେ ଗାଁର ସୁପରିଚିତ କଳାକାରମାନଙ୍କ ଦ୍ୱାରା ପରିବେଷିତ ସାରା ରାଜ୍ୟରେ ଚର୍ଚ୍ଚିତ ନାଟକ କୀଚକବଧର ପ୍ରତ୍ୟାବର୍ତ୍ତନ ଘଟିଥିଲା । ‘କୀଚକବଧ ରିଟର୍ଣ୍ଣସ୍’ ନାମରେ ନାମିତ ଏହି ନାଟକ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଅସମ୍ଭାଳ ହୋଇଥିଲା ।


ସାଂସ୍କୃତିକ ସନ୍ଧ୍ୟାକୁ ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ ଉଦ୍ଘାଟନ କରିଥିବାବେଳେ ବରିଷ୍ଠ ନାଗରିକ ବିଜୟ ପାଢୀ, ଅନୀଲ ପାଢୀ ଓ ଯୁବନେତା କିରଣ ମାଝୀ ମଞ୍ଚାସୀନ ହୋଇଥିଲେ । ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟଅତିଥି ଭାବେ ନର୍ଲା ଥାନାଧିକାରୀ ରମଣୀରଞ୍ଜନ ଦଳେଇ, ସମ୍ମାନିତ ଅତିଥି ଭାବେ ବୀରେନ୍ ପାଢୀ, ପୁରୁଷୋତମ ପୁଟେଲ ପ୍ରମୁଖ ଯୋଗଦେଇଥିଲେ ।


କାର୍ଯ୍ୟକ୍ରମରେ ପିଣ୍ଟୁ ପତି, ଜ୍ଞାନରଞ୍ଜନ ପଣ୍ଡା ଓ ସୁରେନ୍ଦ୍ର ମାଝୀ ବିଚାରକ ଦାୟିତ୍ୱ ତୁଲାଇଥିବାବେଳେ ଯୁବ କଳାକାର ରାଜୀବ ମାଝୀ, ଓମ୍ପ୍ରକାଶ ମାଝୀଙ୍କ ହାସ୍ୟ କଳା ରାତିତମାମ ଦର୍ଶକଙ୍କୁ ବିଭୋର କରିଥିଲା । ଏଥିରେ ୩୦ଟି ନୃତ୍ୟଦଳ ଅଂଶଗ୍ରହଣ କରିଥିବାବେଳେ ଭବାନୀପାଟଣା ଫଟକାମାଲର ନୃତ୍ୟଦଳ ପ୍ରଥମ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ନୃତ୍ୟଦଳ ଦ୍ୱିତୀୟ ଓ ନର୍ଲା ବ୍ଲକ ଘଣ୍ଟମାଳର ନୃତ୍ୟଦଳ ତୃତୀୟସ୍ଥାନ ଅଧିକାର କରି ଅତିଥିମାନଙ୍କଠାରୁ ପୁରସ୍କୃତ ହୋଇଥିଲେ । ପ୍ରତିଟି ରାତିରେ ଅନୁଷ୍ଠିତ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ ଯୁବ ଲେଖକ ସୁଶୀଲ କୁମାର ବାଗ । ଲକ୍ଷ୍ମୀପୂଜା କମିଟିର ସଭାପତି ଭକ୍ତରାମ ପୁଟେଲ, ସଂପାଦକ ସଞ୍ଜୟ ବିଶ୍ୱାଳ, କୋଷାଧ୍ୟକ୍ଷ ନୀଲେଶ ପାଢୀ, ସୁଦର୍ଶନ ଗଉଡଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାନ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.