ଜୁନାଗଡ,୧୩/୧୨ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଗୌଡ଼ଛେଣ୍ଡିଆ ପଂଚାୟତ ଖୁର୍ସେଲଗୁଡ଼ା ଗ୍ରାମର ଡମ୍ବରୁଧର ରାଉତ (୨୬)ଙ୍କୁ ଗତ ୫ ତାରିଖ ଦିନ ମୁମୂର୍ଷୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ୬ ତାରିଖ ଦିନ ପରିବାର ଲୋକ ଚିଳଗୁଡା ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ପରିବାର ବର୍ଗଙ୍କ କହିବା ଅନୁସାରେ ଖୁର୍ସେଲଗୁଡ଼ା ଗ୍ରାମର ଜିତେନ୍ଦ୍ର ପଣ୍ଡା, ଡମ୍ବରୁଧରଙ୍କୁ କାମ କରିବା ପାଇଁ ଡାକି ନେଇ ଥିବାରୁ ସନ୍ଦେହ କରି ଆଜି ଜିତେନ୍ଦ୍ରଙ୍କ ଘରେ ଶବ ରଖି ଘଟଣାର ତଦନ୍ତ ଓ ଅଭିଯୁକ୍ତଙ୍କୁ ଗିରଫ କରି ନ୍ୟାୟ ପ୍ରଦାନ ଦାବି କରିଛନ୍ତି । ଘଟଣାସ୍ଥଳରେ ଜୁନାଗଡ଼ ତହସିଲଦାର ଓ ଆଇଆଇସି ପହଂଚି ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହିଥିଲେ । ତେବେ ପରିବାରର ରୋଜଗାର କ୍ଷମ ବ୍ୟକ୍ତିକୁ ହରେଇ ପରିବାର ବର୍ଗ ଶୋକାକୁଳ ପରିବେଶରେ ଅଛନ୍ତି ।