ରାୟଗଡରେ ଗର୍ଜିଲା ଜିଲ୍ଳା ନିର୍ମାଣ ଶ୍ରମିକ ମହାସଂଘ

ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ମନମୁଖୀ ଶାସନରେ ଅତିଷ୍ଠ ହେଲେଣି ଶ୍ରମିକ – ସଭାପତି

୧୦ଦଫା ଦାବି ପୂରଣ ନେଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ ବିକ୍ଷୋଭ

ରାୟଗଡ,୧୮/୧୨ : ରାୟଗଡ ଜିଲ୍ଳା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ୧୦ଦଫା ଦାବି ନେଇ ପ୍ରାୟ ୧ହଜାରରୁ ଉର୍ଦ୍ଧ କର୍ମକର୍ତାମାନେ ସ୍ଥାନୀୟ ଜିସିଡି ପଡିଆ ଠାରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପଂହଚିଥିଲେ । ସେଠାରେ ଶ୍ରମିକମାନଙ୍କ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ତଥା ବିଭାଗୀୟ ଅଧିକାରୀମାନେ କୈାଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ମହାସଂଘର ସଭାପତି ନିରଂଜନ ପାତ୍ର, ସାଧାରଣ ସଂପାଦକ ଅରୁଣ କୁମାର ଲେଙ୍କା, ଉପସଭାପତି ଗଣେଷ ହିମିରିକା, ସଂଗଠନ ସଂପାଦକ ଅନୀଲ କୁମାର ମହାପାତ୍ର, ସଂଯୋଜକ ରୁନା କୁମାର, ସହ ସଂପାଦକ ବସନ୍ତ କୁମାର ପାତ୍ର, ଅଜୟ ବେନିଆ, ଉପଦେଷ୍ଠା ଚିତରଂଜନ ରାଉତରାଏ, ଭବାନୀଶଙ୍କର ଜେନା, ଗଙ୍ଗରାଜୁ ବିଡିକା, ଧନଂଜୟ ରମେଶ ଶବର, ଭାରତୀୟ ମଜୁଦର ସଂଘର ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ପାଟ୍ଟଯୋଶୀ, ଏନ,ଏଫ.ଆଇ.ଟି.ୟୁର ରାଜ୍ୟ ସଭାପତି ପ୍ରଶାନ୍ତ ପାଢୀଙ୍କ ସମେତ ଅନ୍ୟ ବିଭିନ୍ନ ଶ୍ରମିକ ସଂଗଠନର ନେତାମାନେ ନେତୃତ୍ୱ ନେଇ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ପ୍ରଦାନ କରିଥିଲେ । ଏହି ଦାବିପତ୍ରରେ ନିର୍ମାଣ ଶ୍ରମିକ ପଂଜୀକରଣକୁ ସରଳୀକରଣ ଓ ସମସ୍ତଙ୍କୁ ସହଜରେ ନବୀକରଣ କରିବା, ଜିଲ୍ଳା ଶ୍ରମ ଅଧିକାରୀଙ୍କୁ ନିଯୁକ୍ତ କରିବା, ସମୟ ସୀମା ମଧ୍ୟରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରିବା, ପ୍ରକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉ, ଜିଲ୍ଳାସ୍ତରୀୟ ଶ୍ରମିକମାନଙ୍କ ସମସ୍ୟା ସମାଧାନ ପାଇଁ ଟାସ୍କଫୋର୍ସ ଗଠନ କରିବା, ଶ୍ରମ କାର୍ଯ୍ୟାଳୟରେ ହେଲପ ଡେସ୍କ ସହ ଆନୁସାଙ୍ଗିକ ବ୍ୟବସ୍ଥା କରିବା, ଶ୍ରମିକ ସଂଗଠନ ଓ ସମନ୍ୱୟ ସମିତିର କର୍ମକର୍ତାଙ୍କୁ ନେଇ ପ୍ରତିମାସରେ ବୈଠକ କରିବା,

ଅସଂଗଠିତ ଶ୍ରମିକମାନଙ୍କୁ ଶ୍ରମିକ ସାମାଜିକ କଲ୍ୟାଣ ବୋର୍ଡ ଯୋଜନାରେ ସାମିଲ କରିବା, ପଂଜୀକୃତ ଶ୍ରମିକ ସଂଗଠନର ପ୍ରତିିନିଧିଙ୍କୁ ତାଙ୍କ ଦାୟିତ୍ୱ ତୁଲାଇବା ପାଇଁ ଦେବା ଓ ଦଲାଲମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ନିର୍ମାଣ ଶ୍ରମିକ ତାଲିମପ୍ରାପ୍ତ ସମସ୍ତ ଶ୍ରମିକଙ୍କୁ ସେମାନଙ୍କୁ ପ୍ରାପ୍ୟ ଦେବା ସହ ଠକି ଥିବା ଟ୍ରେନିଙ୍ଗ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିଗୁଡିକ ଉଲ୍ଳେଖ କରାଯାଇଛି । ସେହିପରି ଗତ ଅକ୍ଟୋବର ୩୦ତାରିଖରେ ପ୍ରିନ୍ସିପାଲ ସେକ୍ରେଟେରି, ଶ୍ରମ ବିଭାଗର ଶ୍ରୀମତି ଅନୁ ଗର୍ଗ ରାୟଗଡ ଜିଲ୍ଳା ଗସ୍ତ କରିବା ସମୟରେ ୩୨ଜଣ ହିତାଧିକାରୀଙ୍କ ନୋମିନିଙ୍କୁ ମୃତ୍ୟୁକାଳନୀ ସହାୟତା ରାଶି ମଂଜୁରି ଆଦେଶ କରିଥିଲେ ମଧ୍ୟ ତାହା ବିଭାଗ ପକ୍ଷରୁ ଆଜକୁ ଦୁଇମାସ ହେଲେ ମଧ୍ୟ ପ୍ରଦାନ କରାଯାଇନାହିଁ । ବ୍ୟାଙ୍କ ପାସ ବୁକରେ ଟଙ୍କା ଜମା ହୋଇ ନ ଥିବାରୁ ବାରମ୍ବାର ନୋମିନିମାନେ ବ୍ୟାଙ୍କକୁ ଯାଇ ହଇରାଣ ହେଉଛନ୍ତି । ଏଥିପାଇଁ ପ୍ରଭାଗୀୟ ଶ୍ରମ ଆୟୁକ୍ତ,ରାୟଗଡ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଏପରି ହେଉଛି ବୋଲି ମହାସଂଘର ସଭାପତି ଶ୍ରୀ ପାତ୍ର ପ୍ରକାଶ କରିବା ସହ ଜିଲ୍ଳାରେ ଥିବା ୬୦ ହଜାର ଶ୍ରମିକଙ୍କୁ ସହାୟତା ବଂଟନରେ ଅନିୟମିତତା ଓ ଅବହେଳା ଏବଂ ଜିଲ୍ଳା ଶ୍ରମ ଅଧିକାରୀ (ଡିଏଲଓ), ସହକାରୀ ଶ୍ରମ ଅଧିକାରୀ (ଏଏଲଓ) ଓ ଶ୍ରମ ନିରୀକ୍ଷକଙ୍କୁ ଡେପୁଟେସନ ଓ ଆକ୍ରୋଶମୂଳକ ବଦଳି କରି ପ୍ରଭାଗୀୟ ଶ୍ରମ ଆୟୁକ୍ତ, ରାୟଗଡ ପ୍ରଶାନ୍ତ କୁମାର ତ୍ରିପାଠୀ ଶ୍ରମ କାର୍ଯ୍ୟାଳୟରେ ଏକ ଛତ୍ରବାଦ, ମନମୁଖୀ କାରବାର ଓ ମସୁଧା ଚଳାଇଥିବା ଯୋଗୁଁ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସଭାପତି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । 

ନିର୍ମାଣ ଶ୍ରମିକ ମହାସଂଘ ସଂଲଗ୍ନ ୨୪ଟି ପଂଜୀକୃତ ଶ୍ରମିକ ସଂଗଠନ ତରଫରୁ ଏହି ଗଣ ବିକ୍ଷୋଭ, ଗଣଧାରଣା ଓ ଗଣ ଆନ୍ଦୋଳନ କରାଯାଇଛି । ପ୍ରକାଶ ଥାଉ କି, ଡିଏଲସିଙ୍କ କାର୍ଯ୍ୟାଳୟରେ ୪୦୦ଟି ମୃତ୍ୟୁକାଳୀନ ସହାୟତା,୪୦୦ଟି ବିବାହ ସହାୟତା,୪୫୦୦ଟି ଶିକ୍ଷାବୃତି ସହାୟତା, ୧୫୦ଟି ପ୍ରସୂତିକାଳୀନ ସହାୟତା, ୪୦୦୦ଟି ନୂତନ ପଂଜୀକରଣ, ୧୫୦୦ଟି ପଂଜୀକୃତ ହୋଇ ବକେୟା ଥିବା ସହାୟତା, ୨୫୦୦୦ଟି ସାଇକେଲ ସହାୟତା, ୨୨୦୦୦ଟି ଯନ୍ତ୍ରପାତି ସହାୟତା ଓ ୧୦୦୦ଟି ନବୀକରଣ ସହାୟତା ବକେୟା ରହିଛି ବୋଲି ଜିଲ୍ଳା ନିର୍ମାଣ ଶ୍ରମିକ ମହାସଂଘର ସଭାପତି ନିରଂଜନ ପାତ୍ର ପ୍ରକାଶ କରିଛନ୍ତି । ସେହିପରି ରାୟଗଡ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ୪ଟି ଜିଲ୍ଳାର ଜିଲ୍ଳା ଶ୍ରମ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଡିଏଲସି ଶ୍ରୀ ତ୍ରିପାଠୀଙ୍କ ମନମାନି ଯୋଗୁଁ କୈାଣସି ବିଲଡିଙ୍ଗ କନଷ୍ଟ୍ରକ୍ସନ କାର୍ଯ୍ୟ ଆଗକୁ ବଢିପାରୁନି ବୋଲି ମଧ୍ୟ କହିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.