କଟାଗଣ୍ଡା ଗ୍ରାମରେ ନାହିଁ ସିସି ରାସ୍ତା, ସାମାନ୍ୟ ବର୍ଷାରେ ଗାଁ ଦାଣ୍ଡ କାଦୁଅ ପଚପଚ

ରାୟଗଡ: ସ୍ୱାଧୀନତାର ୭୨ବର୍ଷ ବିତିଯାଇଥିଲେ ସୁଦ୍ଧା ଗାଁକୁ ନାହିଁ ପକ୍କା ରାସ୍ତା । ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଗାଁରେ ଖଣ୍ଡିଏ ସିମେଂଟ କଂକ୍ରିଟ(ସିସି) ରୋଡ କରି ଦେବା ପାଇଁ ବ୍ଳକ ପ୍ରଶାସନ ପାଖେ ବର୍ଷ ବର୍ଷ ଧରି ଗୁହାରୀ କରିଆସୁଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀଙ୍କ ନୀରବତା ଗାଁ ଲୋକଙ୍କୁ ଦାଉ ସାଜିଛି । ଏପରି ଏକ ଗାଁ ହେଉଛି ରାୟଗଡ ଜିଲ୍ଳା ସଦର ବ୍ଳକର ଗୁମ୍ମା ଗ୍ରାମ ପଂଚାୟତ ଅନ୍ତର୍ଗତ କଟାଗଣ୍ଡା ଗ୍ରାମ । ଗାଁ ଟି ପାହାଡର ଶୀର୍ଷ ଭାଗରେ ଥିବାରୁ ବ୍ଳକ ପ୍ରଶାସନ ଅଧିକାରୀମାନେ ଗାଁଟିକୁ ଦୃଷ୍ଟି ଆଢୁଆଳରେ ରଖିଥିବାରୁ କୈାଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ତଥା ସରକାରୀ ଯୋଜନା ଏମାନଙ୍କ ପାଇଁ ଅପହଂଚ ହୋଇ ପଡିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । କଟାଗଣ୍ଡା ଗ୍ରାମରେ ମାତ୍ର ୧୪ଟି ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଏମାନେ ରହୁଥିବା ମୁହାଁମୁହିଁ ଘରଦାଣ୍ଡ ସାମ୍ନା ରାସ୍ତା ସଂପୂର୍ଣ୍ଣ ମାଟି ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ପାଣି ଜମିବା ଦ୍ୱାରା କାଦୁଅ ପାଣିରେ ଭରି ଯାଉଅଛି । ଫଳରେ ଦୀର୍ଘ ଦିନ ଧରି ପାଣି ନିଷ୍କାସନ ହୋଇ ନ ପାରୁଥିବାରୁ ମଶାମାଛି ବଂଶବିସ୍ତାର କରି ଗ୍ରାମବାସୀଙ୍କୁ ବିଭିନ୍ନ ରୋଗରେ ଆକ୍ରାନ୍ତ କରୁଛନ୍ତି । ଘର ସମ୍ମୁଖଟି କାଦୁଅ ପଚପଚ ହୋଇଥିବାରୁ ଗାଁର ଛୋଟ ଛୋଟ ପିଲାମାନେ ଖେଳକୁଦ କରି ବିଭିନ୍ନ ଚର୍ମରୋଗରେ ପୀଡିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।


ସେହିପରି ଗ୍ରାମରେ ପାନୀୟ ଜଳ ସମସ୍ୟା ମଧ୍ୟ ଦୀର୍ଘ ଦିନ ଧରି ରହିଥିବା ବେଳେ କଟାଗଣ୍ଡା ଗ୍ରାମକୁ ଯିବା ପାଇଁ କୈାଣସି ପକ୍କା ରାସ୍ତା ନ ଥିବାରୁ ଗ୍ରାମବାସୀମାନେ ବର୍ଷା, ଖରା, ଶୀତରେ ଦୀର୍ଘ ୩କିଲୋମିଟର ପାହାଡିଆ ପାଦଚଲା ରାସ୍ତା ଅତିକ୍ରମ କରି ପାହାଡ ତଳ ପୁଶବାଡି ଗ୍ରାମରେ ପଂହଚିବା ପରେ ସେଠଶରୁ ଭଟ୍ଟାଖାଲ, କିଆପାଡୁ ହୋଇ ଗୁମ୍ମା ପଂଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି । ତେବେ ଗାଁ ରାସ୍ତା ନିର୍ମାଣ ପାଇଁ ମଧ୍ୟ ବ୍ଳକ ପ୍ରଶାସନ ତଥା ଜିଲ୍ଳା ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ରାମାରାଓ ହୁଇକା, ବନମାଳୀ କୁଲଶିକା, ସମିଆ ମିଣିଆକା, ନରି ହୁଇକା, ରାମ ହୁଇକା, ଟଙ୍କଧର ହୁଇକା, ରମେଶ ହୁଇକା, ଦଣ୍ଡିଆ ହୁଇକା ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଯଥାଶୀଘ୍ର ଏହି ଗ୍ରାମ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଗୁହାରୀ କରିଛନ୍ତି ।

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.