ସ୍ଥିତି ଅନୁଧ୍ୟାନ କଲେ ଜିଆରପି ଓ ଆରପିଏଫ ପୋଲିସ
ରାୟଗଡ଼, (ଶିବ ନାରାୟଣ ଗୈାଡ): ରାୟଗଡ ସହର ଉପକଣ୍ଠ ପୀତାମହଲ ନିକଟ ରେଳଧାରଣା କଡରେ ଗୁରୁତର ଅବସ୍ଥାରେ ପଡିଥିବା ଜଣେ ବ୍ୟକ୍ତିଙ୍କୁ୍ ଉଦ୍ଧାର କରାଯାଇ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ବାଇକ ଯୋଗେ ତାଙ୍କୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ଜଣାପଡିଛି । ବ୍ୟକ୍ତି ଜଣଙ୍କ ପରିଚୟରେ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବଡ କୁଟିଙ୍ଗା ଗ୍ରାମର ବକୁଲୁ ମିଣିଆକା ବୋଲି ଜଣାପଡିଥିବା ବେଳେ ସେ ଜଣେ ଶ୍ରମିକ ଶ୍ରେଣୀର ଲୋକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ତାଙ୍କ ବାମ ଗୋଡଟିରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କ ଦୁଇ ହାତ ସମେତ ଶରୀରର ଅନେକ ସ୍ଥାନରେ କ୍ଷତବିକ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଅନ୍ୟତ୍ର ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ନେଇ ମେଡିକଲ କର୍ତୁପକ୍ଷ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ବୋକୁଲୁ ମିଣିଆକା ଓ ତାଙ୍କ ଜଣେ ସହଯୋଗୀ ମିଶି ଆଜି ମଧ୍ୟାହ୍ନରେ ପୀତାମହଲ ଗ୍ରାମ ନିକଟରେ କୈାଣସି କାମ ପାଇଁ ଯାଇଥିବା ବେଳେ ତାଙ୍କ ସହଯୋଗୀ ରାସ୍ତା କଡ ବନଦୁର୍ଗା ମନ୍ଦିର ନିକଟରେ ବିଶ୍ରାମ ନେଉଥିବା ବେଳେ ବୋକୁଲୁ ମିଣିଆକା ନିକଟରେ ଥିବା ରେଳଧାରଣା ପଟକୁ ଯାଇଥିବା ସମୟରେ ଏକ ମାଲବାହୀ ଟ୍ରେନ ତାଙ୍କୁ ଧକ୍କା ଦେବାରୁ ଟ୍ରେନ ଚକା ତଳେ ପଡିଯିବାରୁ ତାଙ୍କ ଗୋଡ କଚାଡି ହୋଇଯାଇଥିଲା । ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଅଂଚଳ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେହିପରି ରାୟଗଡ ଜିଆରପି ଓ ଆରପିଏଫ ପୋଲିସ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି ।