ଜିଲ୍ଳାସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳନ ସପ୍ତାହବ୍ୟାପି ଅଭିଯାନ ଉଦଯାପିତ

କିଶୋରୀମାନଙ୍କ ସୁରକ୍ଷାର ଦାୟିତ୍ୱ ଉଭୟ ସମାଜ ଓ ପ୍ରଶାସନର ରହିଛି : ଜିଲ୍ଳାପାଳ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ପ୍ରଶାସନର ଜିଲ୍ଳା ସମାଜ ମଙ୍ଗଳ ବିଭାଗ, ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ୍ର ମିଳିତ ସଂଯୋଜନାରେ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଳାରେ ବାଲ୍ୟ ବିବାହ ଘଟଣାଗୁଡିକୁ ରୋକିବା ପାଇଁ ଏବଂ ଶିଶୁ, କିଶୋରୀ ଓ କିଶୋରୀମାନଙ୍କ ସୁରକ୍ଷା ପାଇଁ ଜାତୀୟ ଶିଶୁ କନ୍ୟା ଦିବସ ପାଳନ ପାଇଁ ସପ୍ତାହବ୍ୟାପି ଏକ ଅଭିଯାନ ଚାଲିଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଦିନ ମାନଙ୍କରେ ଅଙ୍ଗନବାଡି କେନ୍ଦ୍ର ସ୍ତରରେ,ସେକ୍ଟର ସ୍ତରରେ ୧୦ରୁ ୧୯ବର୍ଷର ସମସ୍ତ କିଶୋରୀ ବାଳିକା ମାନଙ୍କୁ ସାମିଲ କରି ବିଭିନ୍ନ ଖେଳକୁଦ, ନାଚଗୀତ, ଝୋଟି ଓ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏବଂ ଅଙ୍ଗନବାଡି କେନ୍ଦ୍ରସ୍ତରରେ କିଶୋରୀ ବାଳିକାମାନଙ୍କୁ ଆଇଏଫଏ ଟାବଲେଟ୍ ବଂଟନ କରିବା, ବାଳିକା ମଣ୍ଡଳ ବୈଠକରେ କିଶୋରୀ ସ୍ୱାସ୍ଥ୍ୟ, ସ୍କୁଲ ଖୋଲିଲେ ନିୟମିତ ବିଦ୍ୟାଳୟ ଯାଇ ପାଠ ପଢିବା, କିଶୋରୀମାନଙ୍କ ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା ରହିଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ, ବାଲ୍ୟବିବାହର କୁ-ପରିଣାମ ବିଷୟରେ ନିୟମିତ ଆଲୋଚନା କରାଯାଇଥିଲା ।


ଜିଲ୍ଳା ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଳାସ୍ତରରେ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇ କିଶୋରୀ ବାଳିକାମାନଙ୍କ ସୁରକ୍ଷାର ଦାୟିତ୍ୱ ଉଭୟ ସମାଜ ଓ ପ୍ରଶାସନର ରହିଛି ବୋଲି କହିଥିଲେ । କିଶୋରୀ ବାଳିକାମାନେ ସଶକ୍ତ ହେଲେ ହେଁ ସମାଜ ଆଗକୁ ବଢି ପାରିବ ବୋଲି ଜିଲ୍ଳାପାଳ ଗୁରୁତ୍ୱ ଦେଇଥିଲେ । କମ ବୟସରେ ବାହାଘର ରୋକିବାକୁ ହେଲେ କିଶୋରୀ ବାଳିକାମାନଙ୍କର ବହୁତ ଅବଦାନ ରହିଛି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା । ସେହିପରି ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଯୋଗ ଦେଇ ବାଳିକାମାନଙ୍କ ସୁରକ୍ଷା ପାଇଁ ଆମେ ସମସ୍ତେ ଆଗକୁ ଆସିବାକୁ ପଡିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଳା ଚିକିତ୍ସାଧିକାରୀ ବି.ଲକ୍ଷ୍ମୀ ନାରାୟଣ ପୃଷ୍ଟି, ଜିଲ୍ଳା ପ୍ରକଳ୍ପ ସଂଯୋଜିକା, ସମଗ୍ର୍ର ଶିକ୍ଷା ଶ୍ରୀମତି ଆନେସ୍ତେସିଆ କେର୍କଟା, ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ଯନ୍ତ୍ରୀ ସରୋଜଭୂଷଣ ପାଣି, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ କନ୍ୟା ସନ୍ତାନ ମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ବିଷୟରେ ମତ ଦେଇଥିଲେ । ନିଜେ ନିଜ ବିବାହକୁ ନା କହିବା, ନିୟମିତ ସ୍କୁଲକୁ ଯାଇ ପାଠ ପଢିବା, କୋଭିଡ-୧୯ରେ ବିଭିନ୍ନ ସ୍ଥାନକୁ ବୁଲି ଶିଶୁ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରୁଥିବା ୧୧ଜଣ କିଶୋରୀ ବାଳିକାଙ୍କୁ ଏବଂ ଶିଶୁ ସୁରକ୍ଷା ପାଇଁ ଅଧିକ ଯତ୍ନବାନ ଓ ନିଜ ଅଙ୍ଗନବାଡି କେନ୍ଦ୍ର ଅଂଚଳରେ ୨୦୧୯ ଓ ୨୦୨୦ ମସିହାରେ ଗୋଟିଏ ମଧ୍ୟ ବାଲ୍ୟ ବିବାହ କରାଇ ଦେଇ ନ ଥିବା ୧୧ଜଣ ଅଙ୍ଗନବାଡି କର୍ମୀଙ୍କୁ ସମ୍ମାନୀତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସଂପାଦନା ପାଇଁ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ୱାହିଦା ବେଗମ୍‌, ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ରମେଶଚନ୍ଦ୍ର ନାୟକଙ୍କ ପ୍ରତ୍ୟେକ୍ଷ ତଦାରଖ କ୍ରମେ ଜିଲ୍ଳାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ଓ ସୁପରଭାଇଜର ମାନଙ୍କ ସହାୟତାରେ ଅଙ୍ଗନବାଡି କର୍ମୀମାନେ ନିଜ ଅଂଚଳରେ ବାଳିକା ମଣ୍ଡଳର ନିୟମିତ ବୈଠକ,ଆଇଏଫଏ ଟାବଲେଟ୍ ବଂଟନ ଓ ଖାଇବା ପାଇଁ ଉତ୍ସାହିତ କରିଥିଲେ । ଜିଲ୍ଳାସ୍ତରରେ କାର୍ଯ୍ୟକ୍ରମ ଅଧିକାରୀ କାମାକ୍ଷୀ ପାଢୀ ଓ ବାଲ୍ୟ ବିବାହ ନିଷେକ୍ଷ କାର୍ଯ୍ୟକ୍ରମର ଜିଲ୍ଳା ପରାମର୍ଶଦାତା ରତ୍ନେଶ୍ୱର ସାହୁ ସଂଯୋଜନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.