କଳାହାଣ୍ଡି, (ନିରଞ୍ଜନ ଗଉଡ): ସମର୍ପଣ କ୍ଷେତ୍ର ନର୍ଲା ବେହେରାପାଟି ଠାରେ ଏକ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଆଜି ଏକ ବିଶେଷ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ଲୋକକବି ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଅଞ୍ଚଳର ମହିଳାମାନଙ୍କ ଦ୍ବାରା ଏକ ଭବ୍ୟ କଳସଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ବୈଦିକ ରିତି ନିତି ଅନୁସାରେ ହୋମ ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଶୃତ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ୧୯୫୬ ମସିହାରୁ ବେହେରାପାଟି ଠାରେ ଭଗବାନ ଶ୍ରୀରାମଙ୍କ ପୂଜାର୍ଚ୍ଚନା ହୋଇଆସୁଛି। ତେବେ ବର୍ତ୍ତମାନ ଏହି କ୍ଷେତ୍ରକୁ ସମର୍ପଣ କ୍ଷେତ୍ର ନାମରେ ନାମିତ କରାଯାଇ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ନିକଟ ଅତୀତରେ ଏହି ନୂତନ ମନ୍ଦିରର ଭୂମିପୂଜନ ହୋଇସାରିଥିଲା ବେଳେ ଆଜି ପଦ୍ମଶ୍ରୀ ହଳଧର ନାଗଙ୍କ କରକମଳରେ ମନ୍ଦିର ନିର୍ମାଣର ଶୁଭାରମ୍ଭ ହୋଇଛି।
ଶ୍ରୀରାମ ମନ୍ଦିର ନିର୍ମାଣ ସମିତିର ସଭାପତି କଲ୍ୟାଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଲୋକକବି ପଦ୍ମଶ୍ରୀ ହଳଧର ନାଗ, ସମ୍ମାନୀତ ଅତିଥି ଭାବେ ଯୁଗଯାତ୍ରୀ ସାହିତ୍ୟ ସଂସଦର ସଭାପତି ପଦ୍ମଲୋଚନ ମିଶ୍ର ଏବଂ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ ତଥା ଶ୍ରୀରାମ ମନ୍ଦିର ନିର୍ମାଣ ସମିତିର ସଂପାଦକ ପ୍ରଦୀପ କୁମାର ନାଏକ ମଞ୍ଚାସୀନ ଥିଲେ। ଏହି ଅବସରରେ ପଦ୍ମଶ୍ରୀ ହଳଧର ନାଗ ଭଗବାନ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଗାଥା ବର୍ଣ୍ଣିନା କରିଥିଲେ। ଏହାସହ କୋଶଳୀ ଅସ୍ମିତା ସହ ଅତିତର ଐତିହ୍ୟ ପରମ୍ପରା, ଧର୍ମ, ସଂସ୍କୃତି ଓ ଜନଜୀବନର ଧାରା ସମନ୍ଧରେ ସଜ ବିସ୍ତୃତ ଭାବେ କଥା ଓ କବିତା ମାଧ୍ୟମରେ ଆଲୋକପାତ କରିଥିଲେ। ଲୋକକବିଙ୍କ କବିତା ଗାୟନ ଶୈଳୀ ଓ ବାଗ୍ମିତା ସମସ୍ତଙ୍କୁ ଚମତ୍କୃତ କରିଥିଲା। ଶିକ୍ଷାବିତ ତପନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଶିକ୍ଷକ ମଧୁସୂଦନ ରାଉତ, ସନ୍ତୋଷ କୁମାର କର, ସମାଜସେବୀ ହିରୋ ହିରାଲାଲ ମହଲାଙ୍କ ସମେତ ମନ୍ଦିର ନିର୍ମାଣ ସମିତି ଓ ବେହେରାପାଟି ଗ୍ରାମବାସୀ ସହଯୋଗ କରିଥିଲେ।