ଟ୍ରାକ୍ଟର ମାଲିକ ସଂଘର ଅନିର୍ଦ୍ଧିଷ୍ଟ କାଳ ଧାରଣା ପ୍ରସଙ୍ଗ: ଜିଲ୍ଳାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ରାୟଗଡ, (ଶିବ ନାରାୟଣ ଗୈାଡ): ବିଭିନ୍ନ ଦାବି ନେଇ ଗତ ୮ଦିନ ଧରି ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି ରାୟଗଡ ଟ୍ରାକ୍ଟର ମାଲିକ ସଂଘ । ତେବେ ଜିଲ୍ଳା ପ୍ରଶାସନର କେହି ବି କର୍ତୁପକ୍ଷ ଏବେ ଯାଏଁଁ ସେମାନଙ୍କ ଦାବି ପୂରଣ ଦିଗ୍‌ରେ ଆଲୋଚନା କରିବାକୁ ଆସି ନ ଥିବା ବେଳେ ଆଜି ସମସ୍ତ ଟ୍ରାକ୍ଟର ମାଲିକମାନେ ଏକ ବାଇକ ଶୋଭାଯାତ୍ରା କରି ଜିଲ୍ଳାପାଳଙ୍କୁ ଭେଟି ଦାବି ପୂରଣ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଟ୍ରାକ୍ଟର ମାଲିକ ସଂଘର କିଛି ପ୍ରତିିନିଧିଙ୍କ ସମେତ ସଂଘର ଦାବିକୁ ସମର୍ଥନ ଜଣାଇ ଆସୁଥିବା ରାୟଗଡ ଜିଲ୍ଳା ବିଜେପିର ରାୟଗଡ ନିର୍ବାଚନୀ ମଣ୍ଡଳୀ ପୂର୍ବତନ ବିଧାୟକ ପ୍ର୍ରାର୍ଥୀ ବସନ୍ତ ଉଲାକା, ନଗର କମିଟି ସଭାପତି ଶ୍ୟାମ କୁମାର ଦାଶ, ପଦ୍ମନାଭ ଦାଶ, ଉମାଶଙ୍କର ରାଓ ପ୍ରମୁଖ ଆଜି ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଦାବି ପୂରଣ ଦିଗରେ ଆଲୋଚନା କରିଥିଲେ ।

ତେବେ ସଂଘର ଦାବି ଅନୁଯାୟୀ ୱାଇ ଫର୍ମ ଦିଗରେ ଉଚ୍ଚସ୍ତରରେ ଆଲୋଚନା କରାଯିବା ପରେ କିଛି ବାଟ ବାହାରିବ ବୋଲି ଜିଲ୍ଳାପାଳ କହିବା ସହ ଟ୍ରାକ୍ଟର ଡ୍ରାଇଭରମାନଙ୍କୁ ଡ୍ରାଇଭିଙ୍ଗ୍ ଲାଇସେନ୍ସ ପାଇଁ ଆରଟିଓ ଏବଂ ଶ୍ରମିକମାନଙ୍କୁ ଶ୍ରମିକ କାର୍ଡ ପ୍ରଦାନ ଦିଗରେ ଶ୍ରମ ଆୟୁକ୍ତଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଏହାର ସମାଧାନ କରାଯିବ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିବା ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି । ତେବେ ସମସ୍ତ ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ପ୍ରକାଶ ଥାଉ କି, ରାୟଗଡ ସହର ଉପକଣ୍ଠରେ ଥିବା ନାଗାବଳୀ ଓ ଝଂଜାବତୀ ନଦୀର ନିଲାମଘାଟରେ ବାଲି, ପଥର ଆଣିଲେ ୱାଇ ଫର୍ମ ନ ଥିବା ଦର୍ଶାଇ ରାୟଗଡ ତହସିଲଦାର ରୟାଲଟି ନାମରେ ଟ୍ରାକ୍ଟର ମାଲିକମାନଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛନ୍ତି । ତହସିଲଦାର ଓ ବାଲି ନିଲାମଧାରୀଙ୍କ ମଧୁଚନ୍ଦ୍ରିକା ହେତୁ ରାୟଗଡ ସହରରେ ବାଲି ଟ୍ରାକ୍ଟର ଦର ୭୦୦ରୁ ୯୦୦ଟଙ୍କା ଲୋକଙ୍କୁ ଯୋଗାଇବା ସମ୍ଭବପର ହେଉନାହିଁ ।

ସହର ଠାରୁ ଦୀର୍ଘ ୨୦ରୁ ୨୫କିଲୋମିଟର ଦୂର ଯାଇ ବାଲି ଆଣିବା ପାଇଁ ତହସିଲଦାର କହୁଥିବା ବେଳେ ଏତେ ଦୂର ଯାଇ ବାଲି ଆଣି ଉକ୍ତ ଦରରେ ଲୋକଙ୍କୁ ଦେବା ସମ୍ଭବ ପରେ ହେଉ ନ ଥିବା ବେଳେ ବାଧ୍ୟ ହୋଇ ଟ୍ରାକ୍ଟର ବାଲି ପିଚ୍ଛା ୨ହଜାର ଟଙ୍କା ମଧ୍ୟ ବୃଦ୍ଧି ହୋଇପାରେ । ଫଳରେ ଘର ତିଆରି କରିବା ଲୋକ, ଠିକାଦର ତଥା ମିସ୍ତ୍ରୀ ହେଉ କିମ୍ବା ଆବାସ ଯୋଜନାରେ ଗରୀବ ଲୋକଟି ଘର କଲେ ମଧ୍ୟ ସମସ୍ତଙ୍କୁ ସୁବିଧା ଅସୁବିଧା ଭୋଗିବେ । ତେଣୁ ନିଲାମଘାଟରୁ ବାଲି , ପଥର ଓ ଇଟା ଆଣିଲେ ଜୋରିମାନା ଆଦାୟ କରିବା ବନ୍ଦ ହେଉ,ନିଲାମ ହୋଇ ନ ଥିବା ଘାଟଗୁଡିକ ତୁରନ୍ତ ନିଲାମ କରିବା, ପ୍ରଥମେ କୋତାପେଟା, ତୁମ୍ବିଗୁଡା, ବେହେରାଗୁଡା, ଶିରିଗୁଡାରେ ବାଲି ଆଣିବା ପାଇଁ ଅନୁମତି ଦିଆଯାଉ, ଟ୍ରାକ୍ଟର ଦ୍ୱାରା ବାଲି ଆଣିବା ସମୟରେ ୱାଇ ଫର୍ମର ବ୍ୟବସ୍ଥା କରିବା। ଆନ୍ଧ୍ରକୁ ବାଲି ଚାଲାଣ ବନ୍ଦ କରିବା,ଶ୍ରମିକ କାର୍ଡ ଓ ଡ୍ର୍ରାଇଭିଙ୍ଗ ଲାଇସେନ୍ସ ପ୍ରଦାନ କରିବା, ବଡ ବଡ ଟ୍ରକ ଟ୍ରିପର ଦ୍ୱାରା ବାହାର ରାଜ୍ୟକୁ ଚାଲାଣ ହେଉଥିବା ୧୮,୨୪,୨୬ସିଏମ ବାଲି ବନ୍ଦ କରିବା ସହ ଅନ୍ୟାନ୍ୟ ଦାବିଗୁଡିକର ସମାଧାନ ଦିଗରେ ଜିଲ୍ଳା ପ୍ରଶାସନ ନିଷ୍ପତି ନେଉ ବୋଲି ସଂଘ ପକ୍ଷରୁ ଧାରଣା ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.