ଆଶା କର୍ମୀ ନିଯୁକ୍ତି ବିବାଦ

ଦୁର୍ବ୍ୟବହାର କରିଥିବା ନେଇ ପିଏଚଇଓଙ୍କ ନାମରେ ଥାନାରେ ଏତଲା ଦେଲେ ‘ଆଶାକର୍ମୀ’ ଆଶାୟୀ ପ୍ରାର୍ଥୀନୀ

କଳାହାଣ୍ଡି: ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପି.ଏଚ୍.ଇ.ଓ. ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଜଣେ ମହିଳା। ପ୍ରାପ୍ତ ସୂଚନା ଆଧାରରେ ନର୍ଲାରୋଡର ମନୋରମା ବାରିକ ନର୍ଲା ଥାନାରେ ଅଭିଯୋଗ କରିଛନ୍ତି ଯେ, ଆଶା କର୍ମୀ ନିଯୁକ୍ତି ସଂକ୍ରାନ୍ତରେ ଆରଟିଆଇ ପାଇଁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପିଏଚଇଓଙ୍କ କାର୍ଯ୍ୟାଳୟ ଯାଇଥିଲେ। ତେବେ ପିଏଚଇଓ ବିମଳ ଚନ୍ଦ୍ର ଦୀପ ତାଙ୍କୁ ତୁ’ତା’ରେ’ରା’ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏହାସହ ଶ୍ରୀମତୀ ବାରିକ ଆଶା କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି।

ଏ ସଂକ୍ରାନ୍ତରେ ନର୍ଲା ଥାନାରେ କେସ ନଂ ୫୪/୨୦୨୧ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପିଏଚଇଓଙ୍କୁ ଥାନାକୁ ଡ଼ାକି ପଚରାଉଚରା କରିବାସହ ତଦନ୍ତ ଜାରି ରହିଥିବା ଥାନାଧିକାରୀ ରମଣୀ ରଞ୍ଜନ ଦଳେଇ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପିଏଚଇଓ ବିମଳ ଚନ୍ଦ୍ର ଦୀପ ଏହାକୁ ଅସ୍ବିକାର କରିଛନ୍ତି। ସେ କହିଛନ୍ତି ଯେ, ଆଶା କର୍ମୀ ଚୟନରେ କୈାଣସି ପ୍ରକାର ଅନିୟମିତତା ହୋଇନାହିଁ, ଯୋଗ୍ୟ ପ୍ରାର୍ଥୀନୀ ନିଯୁକ୍ତି ପାଇଛନ୍ତି। ଏବଂ ସେ ଶ୍ରୀମତୀ ବାରିକଙ୍କୁ କୈାଣସି ପ୍ରକାର ଦୁର୍ବ୍ୟବହାର କରିନଥିବା ପ୍ରକାଶ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ନର୍ଲାରୋଡର ଆଶା କର୍ମୀ ଭାବେ ମନୋରମା ବାରିକ କାର୍ଯ୍ୟ କରୁଥିଲେ। ତେବେ ସେ ଏଏନଏମ ଭାବରେ ନିଯୁକ୍ତି ପାଇ କୋଭିଡ କାର୍ଯ୍ୟରେ ନିୟୋଜିତ ଥିଲେ। ଏପଟେ ସେ ପୂର୍ବରୁ ଆଶା ପଦବୀରୁ ଇସ୍ତଫା ଦେଇଥିବାରୁ ଉକ୍ତ ଆଶା କର୍ମୀ ପଦବୀ ଖାଲି ରହିଥିଲା। ପରବର୍ତ୍ତୀ ସମୟରେ କୋଭିଡ ଏଏନଏମ ମାନଙ୍କୁ ଛଟେଇ କରାଯାଇଥିଲା। ସେହି କ୍ରମରେ ଶ୍ରୀମତୀ ବାରିକ ମଧ୍ୟ ଚାକିରି ହରାଇ ଘରେ ବସିଥିଲେ। ଏହି ସମୟରେ ନର୍ଲାରୋଡ ଆଶାକର୍ମୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ମନୋରମା ବାରିକ, ପାର୍ବତୀ ସାହୁ ଏବଂ ସଜନୀଲତା ରାଉତ ଆବେଦନ କରିଥିଲେ। ଏଥିରେ ପାର୍ବତୀ ସାହୁ ଶ୍ରେଷ୍ଠ ବିବେଚିତ ହୋଇ ଆଶାକର୍ମୀ ଭାବେ ନିଯୁକ୍ତ ହୋଇଛନ୍ତି। ତେବେ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ମନୋରମା ବାରିକ। ସେ କହିଛନ୍ତି ଯେ, ଅଧିକ ବୟସ ହୋଇଥିବା ସତ୍ତ୍ଵେ ପାର୍ବତୀ ସାହୁଙ୍କୁ ଚୟନ କରାଯାଇଛି। ଆରଟିଆଇ ତଥ୍ୟ ଅନୁସାରେ ଆଶାକର୍ମୀ ନିଯୁକ୍ତ ହୋଇଥିବା ପାର୍ବତୀ ସାହୁଙ୍କ ବୟସ ୫୧ ବର୍ଷ ରହିଥିବା ମନୋରମା ବାରିକ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ ଆଶା କର୍ମୀ ଚୟନର ତଥ୍ୟ ଅନୁସାରେ ତିନି ଜଣ ଯାକ ପ୍ରାର୍ଥୀନୀଙ୍କ ଶିକ୍ଷାଗତ ଯୋଗ୍ୟତା +୨। ପାର୍ବତୀ ସାହୁଙ୍କ ଶତକଡ଼ା ମାର୍କ ୬୪% ଗ୍ରେସ୍ ମିଶି ୬୬.୩୫%, ସଜନୀଲତା ରାଉତଙ୍କ ୪୪% ଓ ଗ୍ରେସ୍ ମିଶି ୪୬.୪୩% ଓ ମନୋରମା ବାରିକଙ୍କ ଶତକଡା ୩୭% ଗ୍ରେସ୍ ମିଶି ୪୪.୬୬% ରହିଛି। ଶିକ୍ଷାଗତ ପ୍ରମାଣପତ୍ର ଆଧାରରେ ପ୍ରାର୍ଥୀନୀମାନଙ୍କ ମଧ୍ୟରୁ ପାର୍ବତୀ ସାହୁଙ୍କ ବୟସ ୪୦ ବର୍ଷ ୨ମାସ, ସଜନୀଲତା ରାଉତଙ୍କ ବୟସ ୪୨ ବର୍ଷ ୪ମାସ ଓ ମନୋରମା ବାରିକଙ୍କ ବୟସ ୩୫ ବର୍ଷ ୧୧ମାସ ରହିଛି।

ମେଡିକାଲ ପକ୍ଷରୁ ପ୍ରାପ୍ତ ସୂଚନା ଆଧାରରେ ଆଶାକର୍ମୀ ଚୟନ କମିଟିରେ ମେଡିକାଲ କତୃପକ୍ଷ, ନିର୍ବାଚିତ ଜନ ପ୍ରତିନିଧି ଓ ଅନ୍ୟାନ୍ୟ ଏମିତି ୭/୮ଜଣ ଚୟନକର୍ତ୍ତା ରହିଥିଲେ। ସେମାନେ ସମସ୍ତ ପ୍ରାର୍ଥୀନୀଙ୍କ ଶିକ୍ଷାଗତ ଯୋଗ୍ୟତା, ବୟସ ଓ ଅନ୍ୟାନ୍ୟ ଦିଗ ଉପରେ ପ୍ରାମାଣିକ ତଥ୍ୟକୁ ନେଇ ସମସ୍ତ ଚୟନକର୍ତ୍ତାଙ୍କ ଚୁଡାନ୍ତ ରାୟ ଅନୁସାରେ ଆଶାକର୍ମୀ ଚୟନ କରିଛନ୍ତି। ତେଣୁ ଆଶାକର୍ମୀ ନିଯୁକ୍ତିରେ କୌଣସି ବ୍ୟତିକ୍ରମ ହୋଇନଥିବା ବେଳେ ଅନ୍ୟାନ୍ୟ ଅଭିଯୋଗ ଭିତ୍ତିହୀନ ବୋଲି ପିଏଚଇଓ ବିମଳ ଚନ୍ଦ୍ର ଦୀପ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.