“ବିନା ଅନୁମତିରେ କୌଣସି ଅଧିକାରୀ ସଦର ମହାକୁମା ଛାଡି ଯାଇପାରିବେ ନାହିଁ “
ରାୟଗଡ, (ଶିବ ନାରାୟଣ ଗୈାଡ): ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ୟସ’ର ମୁକାବିଲା କରିବା ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷ୍ୟତାରେ ଏକ ଜରୁରୀ ବୈଠକ ୱେବିନାରରେ ମଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି ଡିଆରଡ଼ିଏ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ଗୁଣପୁର ସନାଲ ଜେନା, ଉପଜିଲ୍ଲାପାଳ ରାୟଗଡ ପ୍ରତାପ ଚନ୍ଦ୍ର ପ୍ରଧାନ ଆଦି ଯୋଗଦାନ କରିଥିଲେ। ଏହି ବୈଠକରେ ଓଡିଶାକୁ ମାଡି ଅସୁଥିବା ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତ ଅଧିକାରୀ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି। ଜିଲ୍ଲା ପାଇଁ ବିପଦ ସମ୍ଭବନା କମ ଥିଲେ ମଧ୍ୟ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦେଶ ଅନୁଯାୟୀ ରାଜ୍ୟର ଅନ୍ୟ ଜିଲ୍ଲାର ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ ଜଗାଇବା ନିମନ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିର୍ଦେଶ ଦେଇଛନ୍ତି। ସମସ୍ତ ବିଭlଗୀୟ ଅଧିକାରୀ ସତର୍କ ରହିବା ସଦର ମହକୁମାରେ ମହଜୁଦ ରହିବାକୁ ନିର୍ଦେଶ ଦେଇଛନ୍ତି। ଯଦି କେହି ଛୁଟିରେ ଅଛନ୍ତି ତାହାହେଲେ ସେମାନଙ୍କ ଛୁଟି ବାତିଲ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ବିଶେଷ କରି ତହସିଲଦାର ଓ ବିଡ଼ିଓ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଉପଜିଲ୍ଲାପାଳ ରାୟଗଡ ଏବଂ ଗୁଣପୁର ଏହାର ମନିଟରିଙ୍ଗ କରିବେ। ସେହିପରି ବନ୍ୟାବାତ୍ୟା ସମୟରେ
ଦୁର୍ଗମ ଓ ବନ୍ୟା ପ୍ଲାବିତ ଅଂଚଳରେ ଯଥେଷ୍ଟ ଆଗରୁ ଶୁଖିଲା ଖାଦ୍ୟ, ଆବଶ୍ୟକ, କିରାସିନି, ଚୁଡାଗୁଡ଼, ମହଜୁଦ ରଖିବା ନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେବାର ସମ୍ଭବନା ଥିବା ଇଲାକାକୁ ଯଥେଷ୍ଟ ଆଗରୁ ସୁରକ୍ଷିତ ସ୍ଥାନକୁ ନେବାର ବ୍ୟବସ୍ଥା କରିବାକୁ ତହସିଲଦାର ଓ ବିଡ଼ିଓ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ପଲିଥିନ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ମହଜୁଦ ରଖିବାକୁ ତହସିଲଦାର ମାନଙ୍କୁ ନିର୍ଦେଶ ଦିଆଯାଇଛି। ବନ୍ୟା ବାତ୍ୟା ପରେ ରାସ୍ତାଘାଟ ସଫା କରିବା ନିମନ୍ତେ ଆବଶ୍ୟକ ସରଞ୍ଜାମ ମହଜୁଦ ରଖିବାକୁ ଅଗ୍ନିଶମ, ରାସ୍ତା ଓ ଗୃହ , ଗ୍ରାମୀୟ ନିର୍ମାଣ ବିଭାଗକୁ ନିର୍ଦେଶ ଦିଆଯାଇଛି। ସେହିପରି ବିଦ୍ୟୁତ ସେବା ଯୋଗାଇବା ନିମନ୍ତେ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗକୁ ବିଶୋଧିତ ପାଣି ଯୋଗାଇବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବନ୍ୟାବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାର ସମସ୍ତ ବିଭଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, ନିର୍ବାହୀ ଅଧିକାରୀ ସମସ୍ତ ପ୍ରକାର ପ୍ରସ୍ତୁତି ରହିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ପ୍ରମୁଖ ଯୋଗଦାନ କରିଥିଲେ।