ଗଛରେ ଲଦି ହୋଇଛି ଆମ୍ବ, ହେଲେ ବଜାର ବନ୍ଦ : ବେପାର ଠପ୍

କୋରୋନା ମାଡ ଚାଷୀର ଆଶାକୁ ନିରାଶାରେ ପରିଣତ କରିଛି

କୋରାପୁଟ: କୋରାପୁଟ ଜିଲ୍ଲା ଦେଓଘାଟି ଅଞ୍ଚଳରେ ପ୍ରତିଟି ଆମ୍ବ ଚାଷୀଙ୍କ ବାଡିରେ ଭର୍ତ୍ତି ହୋଇ ରହିଛି ଆମ୍ବ । ସବୁ ଗଛରେ ଲଦି ହୋଇଛି ପୁଳା ପୁଳା ଆମ୍ବ । ଚଳିତ ବର୍ଷ ଭଲ ଆମ୍ବ ହୋଇଥିବା ଦେଖି ଚାଷୀ ବେଶ ଖୁସି ହୋଇଥିଲା । ଆମ୍ବ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିବ ବୋଲି ମନରେ ଆଶା ବାନ୍ଧିଥିଲା । ହେଲେ ସେ ଆଶା ଆଶାରେ ରହିଯାଇଛି । କୋରୋନା ମାଡ ଚାଷୀର ଆଶାକୁ ନିରାଶାରେ ପରିଣତ କରିଛି । କୋରୋନା ପ୍ରକୋପରେ ଲକଡାଉନ ହେବା ଫଳରେ ନା ବ୍ୟବସାୟୀ ଆସୁଛନ୍ତି ନା ଆମ୍ଭ ବିକ୍ରି ହୋଇପାରୁଛି । ଫଳରେ ଚିନ୍ତାରେ ପଡିଛି ଆମ୍ବ ଚାଷୀ । ଗଛରେ ଆମ୍ବ ଧରିଲାବେଳକୁ ବ୍ୟବସାୟୀ ଆମ୍ବ ବଗିଚାକୁ ଆସି ଆମ୍ବ କିଣିନେଇ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ । ଅନେକ ବ୍ୟବସାୟୀ ଆସି ବାଡିରୁ ହିଁ ଆମ୍ବ କିଣି ନେଉଥିଲେ । କିନ୍ତୁ ଚଳିତ ବର୍ଷ ଆମ୍ବ ବିକ୍ରିର ଆରମ୍ଭରୁ ହିଁ କୋରୋନା ପ୍ରତିବନ୍ଧକ ଲାଗୁ ହେବା ଫଳରେ ଗାଁ ଗଣ୍ଡାର ଆମ୍ବ ବଗିଚାକୁ ଏ ପର୍ଯ୍ୟନ୍ତ ବ୍ୟବସାୟୀଙ୍କର ଦେଖାନାହିଁ । ୧୫ ବର୍ଷ ପୂର୍ବରୁ ବିନା ରାସାୟନିକ ସାର ପ୍ରୟୋଗରେ ହୋଇଥିବା ଆମ୍ବର ବେଶ ଚାହିଦା ରହିଛି । ହେଲେ କୋରୋନା ପ୍ରଭାବରେ ବେପାର ପୁରା ମାନ୍ଦା । ବ୍ୟବସାୟୀ ନ ଆସିବାରୁ ବାଡିରୁ ଆମ୍ବ ବୋହି ନେଇ ଖୁଚୁରା ବେପାରିଙ୍କୁ ଦେବାକୁ ପଡୁଛି ବୋଲି କହିଛନ୍ତି ଚାଷୀ । ଗତବର୍ଷ ଫଳ ଅଧିକ ହୋଇନଥିଲେ ହେଁ ବଜାରର ସ୍ଥିତି ଭଲ ଥିବାରୁ ଆମ୍ବ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲା ଚାଷୀ । ହେଲେ ଚଳିତ ବର୍ଷ ଆମ୍ବ ବିକ୍ରି ପ୍ରକ୍ରିୟା ଆରମ୍ଭରୁ ହିଁ ବନ୍ଦ ରହିଛି ବେପାର । ଫଳରେ ଜିଲ୍ଲାର ଅନେକ ଆମ୍ବ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.