ବୁର୍ଲା: ବିଶିଷ୍ଟ ସମ୍ବଲପୁରୀ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୩.୪୫ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ‘ଶଲାବୁଢ଼ା’ ଫ୍ଲିମର ମୁଖ୍ୟ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ ଅଟଳ। ଏହାଛଡା ଅନେକ ସମ୍ବଲପୁରୀ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ବର୍ଗତ ପଣ୍ଡା ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଥିଲେ। ‘ଶଲାବୁଢ଼ା’ ନାମରେ ଖ୍ୟାତ ଏହି ବରିଷ୍ଠ କଳାକାରଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।
ମେ’ ୧୬ ତାରିଖରେ ଅଟଳ ବିହାରୀ ପଣ୍ଡାଙ୍କ ପତ୍ନୀ ଲଳିତା ପଣ୍ଡାଙ୍କର ପରଲୋକ ହୋଇଥିଲା। ପତ୍ନୀଙ୍କ ମୃତ୍ୟୁପରେ ସେ ଭାଙ୍ଗି ପଡ଼ିଥିଲେ। ଦେହ ଖରାପ ହେବାରୁ ମେ’ ୧୯ ତାରିଖରେ ତାଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଥିଲା। ମେ’ ୩୧ ତାରିଖରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲା। ତେବେ ପୁଣି ଅବସ୍ଥା ଗୁରୁତର ହେବାରୁ ଜୁନ୍ ୧ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ଦେଇଛନ୍ତି ତାଙ୍କ ପୁଅ ଅରୁଣ ପଣ୍ଡା।