କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଉଲିକୁପା ଗ୍ରାମରେ ଆଜି (ମଙ୍ଗଳବାର) ରୁଗୀ ବଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗାଁରୁ ରୋଗ ବୈରାଗ ଦୂର କରିବାପାଇଁ ଏହି ପରମ୍ପରା ପାଳନ କରାଯାଇଥାଏ। ବର୍ତ୍ତମାନ ଠାରୁ ନୂଆଖାଇ ପର୍ଯ୍ୟନ୍ତ ଉଲିକୁପା ଗ୍ରାମରେ ପାଞ୍ଚ ପାଳି ରୁଗୀ ବଲା ହେବ ବୋଲି ଜଣାପଡିଛି। ଏହା ପୂର୍ବରୁ ଅଦୃଶ୍ୟ ଶକ୍ତି ଓ ଗ୍ରାମ ଦେବାଦେବୀଙ୍କ ଶାନ୍ତି ବିଧାନ ପାଇଁ ପନା ପାଏନ ଢଳା ଯାଇଛି।
ଆଜି ଗ୍ରାମବାସୀ ମାନେ ନିଜ ଘରୁ ଖଇ ଓ ଝୁଣା ଆଣି ଗୋଟିଏ ଯାଗାରେ ରଖିଥିଲେ। ସେହି ଖଇ (ଫୁଲାଲିଆ)କୁ ବିଞ୍ଛି ଗଣା ଗାଁରୁ ଦୁଷ୍ଟ ଶକ୍ତି ବାହାର ହେବାକୁ ଆଦେଶ ଦେଇଥିଲେ। ଗାଁର ଗଣା, ଝାଙ୍କର, ଗଉନ୍ତିଆ ଓ ସହଯୋଗୀ ଗବଡା ପୀଠରେ ପାରମ୍ପାରିକ ରିତି ଅନୁସାରେ ମଦ୍ୟ ଅର୍ପଣ ସହ ପୂଜା କରି ସମସ୍ତ ଦେବାଦେବୀଙ୍କ ପାଖରେ ଗାଁରୁ ରୋଗ ବୈରାଗ ଦୂର କରିବାକୁ ପ୍ରାର୍ଥନା କରିଥିଲେ।