ଆମ୍ବୁଲାନ୍ସ-ଟ୍ୟାଙ୍କର ଦୁର୍ଘଟଣା ପ୍ରସଙ୍ଗରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାର ଅମ୍ବାଦଳା ଥାନା ଅନ୍ତର୍ଗତ ମଂଜୁରୀକୁପା ନିକଟରେ ଗତକାଲି ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ପ୍ରସଙ୍ଗରେ ଦୁଇ ଗୁରୁତରଙ୍କ ମଧ୍ୟରୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଗୁରୁତର ଲକ୍ଷ୍ମଣ କରୁଆଁ (୩୫)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତ୍ର ୨ଟା ବେଳେ ସେ ମୃତ୍ୟୁବରଣ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଶବ ବ୍ୟବେଚ୍ଛଦ ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଆଉ ଜଣେ ଗୁରୁତରଙ୍କୁ ଚିକିତ୍ସା ଜାରି ରହିଥିବା ଜଣାପଡିଛି ।


ପ୍ରକାଶ ଥାଉ କି, ବଲାଙ୍ଗିର ଜିଲ୍ଳା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କପିଲାଭଟ୍ଟା ଗ୍ରାମର ଭକ୍ତି ହଂସଙ୍କ ସ୍ତ୍ରୀ ହନି ହଂସ କିଡନୀ ଜନୀତ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଗତ କିଛି ଦିନ ତଳେ ରାୟଗଡ ଜିଲ୍ଲା ବିଷମକଟକ ଠାରେ ଥିବା ଖ୍ରୀଷ୍ଟିଆନ୍ ହସ୍ପିଟାଲରେ ଭର୍ତି କରାଇଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ହନିଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ ଶବକୁ ନେଇ ପରିବାର ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ଫେରୁଥିଲେ । ଆମ୍ବୁଲାନ୍ସଟି ଅମ୍ବାଦଳା ଥାନା ଅନ୍ତର୍ଗତ ମଂଜୁରକୂପା ଗ୍ରାମ ନିକଟବର୍ତୀ ହୋଇଥିବା ବେଳେ ବିପରୀତ ଦିଗରୁ ଟିକିରି ଅଭିମୁଖେ ଆସୁଥିବା ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ୟାଙ୍କର ସହ ମୁହାମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରୁତରମାନଙ୍କୁ ମଧ୍ୟ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏଥିରୁ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.