ଟ୍ରକ୍ ଧକ୍କାରେ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି

● ରାସ୍ତାରୋକ କରି ଦାବି କଲେ ଗ୍ରାମବାସୀ

ରାୟଗଡ, ୨୧|୮: ରାୟଗଡ ଜିଲ୍ଳା ଶେଷଖାଲ ଥାନା ଅନ୍ତର୍ଗତ ଅତଡା ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ସଂପର୍କୀୟମାନେ ଦାବି କରିଛନ୍ତି । ଆଜି ରାୟଗଡ-କେରଡା ମୁଖ୍ୟ ରାସ୍ତାର କାଂଚକାୱାଲସା ଛକ ଠାରେ ଗ୍ରାମବାସୀମାନେ କିଛି ଘଂଟା ଧରି ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଥିଲେ । ଘଟଣାସ୍ଥଳରେ ଶେଷଖାଲ ଥାନା ଅଧିକାରୀ ଦେବ ମଲ୍ଳିକ ଓ ଅନ୍ୟ ଷ୍ଟାଫ୍ ପଂହଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ଉଠିଥିଲା । ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ଯୁବକ ଜଣକ ହେଲେ ଶେଷଖାଲ ଥାନା ଅଧିନସ୍ଥ କାଂଚିକାୱାଲସା ଗ୍ରାମର ପ୍ରଦୀପ ପୁଆଲା (୩୦) । ସେ ବିଦ୍ୟୁତ ବିଭାଗ ଟିପିଏସଓଡିଏଲ ଅଧିନସ୍ଥ ସବ୍‌-କଂଟ୍ରାକ୍ଟର ଶୁଭେନ୍ଦୁ ଦାସ ନାମକ ଏକ ବ୍ୟକ୍ତିଙ୍କ ଠିକା ସଂସ୍ଥାରେ ହେଲପର ଭାବେ କାର୍ଯ୍ୟ କରୁଥିଲେ । ଗତ ୨୦ଦିନ ତଳେ ଠିକାସଂସ୍ଥାର କାର୍ଯ୍ୟାରମ୍ଭ ହୋଇଥିବା ଜଣାପଡିଛି । ତେବେ ଠିକା ସଂସ୍ଥାର କାର୍ଯ୍ୟ ନିର୍ଘଂଟ ସମୟରେ ପ୍ରଦୀପ କାର୍ଯ୍ୟରତ ରହିଥିବାରୁ ଠିକାସଂସ୍ଥା ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ମୃତକଙ୍କ ଜ୍ୱାଇଁ ପିଡିକା ଆଦିନାରାୟଣ ଦାବି କରିଛନ୍ତି । ତେବେ କ୍ଷତିପୂରଣ ପ୍ରଦାନ ପାଇଁ ଠିକାସଂସ୍ଥାର ଉଚ୍ଚ କର୍ତୁୁପକ୍ଷଙ୍କୁ ଅବଗତ କରାଯାଇଛି ଏବଂ ଆଜି ଅପରାହ୍ନରେ ମୃତକଙ୍କ ପରିବାରକୁ କଣ ସାହାର୍ଯ୍ୟ କରାଯାଇପାରିବ ସେ ନେଇ ଉଚ୍ଚ କର୍ତୁପକ୍ଷମାନେ ଆଲୋଚନା କରିବା ପରେ ଜଣାପଡିବ ବୋଲି ଠିକାସଂସ୍ଥାର ସୁପରଭାଇଜର ପ୍ରକାଶ କରିଛନ୍ତି । ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଶେଷଖାଲ ଥାନାରେ ଅଟକ ଥିବା ବେଳେ ଟ୍ରକର ଥାର୍ଡପାର୍ଟି ବୀମା କାଗଜ ସଠିକ୍ ଥିବାରୁ ମୃତକ ପ୍ରଦୀପଙ୍କୁ ତାହା ଆଗାମୀ ଦିନରେ ନିଶ୍ଚିତ ଭାବେ ମିଳିବ ବୋଲି ଶେଷଖାଲ ଥାନା ଅଧିକାରୀ ଦେବ ମଲ୍ଳିକ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ଗତକାଲି କେରଡା ଅଂଚଳରୁ କାମ ସାରି ନିଜ ଘର କାଂଚିକାୱାଲସାକୁ ନିଜ ମୋଟର ବାଇକ ଯୋଗେ ପ୍ରଦୀପ ପୁଆଲା ଫେରୁଥିବା ବେଳେ ରାୟଗଡରୁ ବିଶାଖାପାଟଣା ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ମାଲବୋଝେଇ ଟ୍ରକ ସହ ଅତଡା ଗ୍ରାମ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ବାଇକ ଚାଳକ ପ୍ରଦୀପର ମୃତ୍ୟୁ ହୋଇଯାଇଥିଲା । ଘଟଣାରେ ମୃତକଙ୍କ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଆଦିବାସୀ ନେତା ତଥା କଂଗ୍ରେସ ଦଳର ରାୟଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଆପଲାସ୍ୱାମୀ କାଡ୍ରକା ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.