● ମରୁଡି ଘୋଷଣା ଦାବୀ
କଳାହାଣ୍ଡି, ୨୯|୮ (ନରୋତ୍ତମ ସେଲମା): ବର୍ଷା ବିନା କୃଷି ନାଶ ହେବାକୁ ବସିଛି । ଚିତାଲାଗି ଅମାବାସ୍ୟା ଗଲା, ଶ୍ରାବଣ ଯାଇ ଭାଦ୍ରବ ଆସିଲା ଦିନକ ପରେ ଜନ୍ମାଷ୍ଟମୀ ତଥାପି ତଳି ରୋପଣ କିମ୍ବା ବେଉଷଣ ହୋଇପାରିଲାନି । ତଳି ଗୁଡିକ ୨ ମାସରୁ ଅଧିକ ସମୟ ହେଲାଣି । ତଳି ପକାଇବାର ୨୧ ଦିନ ମଧ୍ୟରେ ରୋଇବା କଥା ହେଲେ ପାଣି ଅଭାବରୁ ମାସ ମାସ ଧରି ତଳି ପଡିରହିଛି । ତଳି ଗୁଡିକ ହଳଦିଆ ହୋଇଯିବା ସହ ଚେରେହି ଗଲାଣି । ଯାହା ଆଉ ରୋଇଲେ ବି ଅମଳକ୍ଷମ ହେବାର ଆଶା ନାହିଁ । ସେଇପରି ପାଣି ଅଭାବରୁ ଦୁଇ, ଅଢେଇ ମାସ ତଳେ ବୁଣାଯାଇଥିବା ଧାନଗଛ ଗୁଡିକୁ ବେଉଷଣ କରାଯାଇ ପାରିନାହିଁ । ଯେତେବେଳେ ଦ୍ୱିତୀୟ ଡୋଜ ସାର ପ୍ରୟୋଗ କରିବା କଥା ସେତେବେଳେ ଯଦି ରୁଆ ଓ ବେଉଷଣ ହୋଇ ପାରୁନାହିଁ, ତାହେଲେ ସେ ଚାଷ ଉପରେ ଆଉ ଭରସା କରାଯାଇ ପାରିବ କି ? ଶେଷରେ ଏଇ ବ୍ଳକର ପୌରକେଲା ଗ୍ରାମର କିଛି ଚାଷୀ ନିଜ କ୍ଷେତରେ ଗାଈଗୋରୁ ଛାଡି ଦେଇଛନ୍ତି । ଏଥର କେନାଲ ପାଣିର ବି ଦେଖାଦର୍ଶନ ନାହିଁ । ପୌରକେଲା ଅଂଚଳକୁ ସଂପୂର୍ଣ ମରୁଡି ଘୋଷଣା କରିବା ପାଇଁ ଦୟାନିଧି ସାହୁ, ଗିରିଶ ଚନ୍ଦ୍ର ସାହୁ, ଅନ୍ତର୍ଯ୍ୟାମୀ ସାହୁ, ବରୁଣ ଭୋଇ, ସୂର୍ଯ୍ୟମଣି ଭୋଇ, ନାବିକ ଭୋଇ, ତୁମ୍ବେଶ୍ୱର ଦଣ୍ଡସେନା, ପ୍ରେମାନଧି ଦୋରା, ଡୋଳାମଣି ଭୋଇ, ପୃଥିରାଜ ଦଣ୍ଡସେନା, ହମିର ସାହୁ, ସନାତନ ରଣା, ହଜାରୁ ଦଣ୍ଡସେନା ପ୍ରମୁଖ ଦାବୀ ଜଣାଇଛନ୍ତି । ସେମାନେ କହିଛନ୍ତି ଯେ, ସ୍ଥିତି ଅନୁଧ୍ୟାନ କରିବା ପାଇଁ ତୁରନ୍ତ କୃଷି ଓ ରାଜସ୍ୱ ବିଭାଗ ଅଧିକାରୀ ଆସି କ୍ଷତିଗ୍ରସ୍ତ ଚାଷର ଅବସ୍ଥା ଦେଖନ୍ତୁ ।