ସର୍ଗିଗୁଡା ଶ୍ରୀ ଅରବିନ୍ଦ ପାଠଚକ୍ରର ୫୦ ବର୍ଷ ପୁର୍ତ୍ତି କାର୍ଯ୍ୟକ୍ରମ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଅରବିନ୍ଦ ପାଠ ଚକ୍ରର ୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ୧୯୭୧ ମସିହା ସେପ୍ଟେମ୍ବର ୧୨ ତାରିଖ ଦିନ ସର୍ଗିଗୁଡା ଗ୍ରାମରେ ଅରବିନ୍ଦ ପାଠଚକ୍ର ପ୍ରତିଷ୍ଠା କରାଯାଇଥିଲା । ପ୍ରତିଷ୍ଠାତା ସଭାପତି ଭାବରେ ସର୍ଗିଗୁଡାର ଗୌନ୍ତିଆ ପୂର୍ବତନ ନର୍ଲା ବ୍ଲକ୍ ଅଧ୍ୟକ୍ଷ ସ୍ୱର୍ଗତ କମଳ ଲୋଚନ ନାଏକ କାର୍ଯ୍ୟ ନିର୍ବାହନ କରିଥିବା ବେଳେ ସାଧାରଣ ସମ୍ପାଦକ ଭାବରେ ବିଶିଷ୍ଟ ଶିକ୍ଷାବିତ୍ତ ବିଷ୍ଣୁ ଗହୀର ଦାଇତ୍ୱ ସମ୍ପାଦନ କରିଥିଲେ । ଦୀର୍ଘ ୫୦ ବର୍ଷ ଭିତରେ ଦୁଇ ଜଣ ବିଷ୍ଣୁ ଗହୀର ଓ କୁବେର ବିଶ୍ୱାଳଙ୍କ ବ୍ୟତୀତ ପାଠଚକ୍ର କମିଟିର ଅନ୍ୟ ସମସ୍ତ କର୍ମକର୍ତ୍ତା ମାନେ ଇହଲୀଳା ସମ୍ବରଣ କରିଛନ୍ତି ।


ସେପ୍ଟେମ୍ବର ୧୨ ରବିବାର ଦିନ ସର୍ଗିଗୁଡା ଅରବିନ୍ଦ ପାଠଚକ୍ରର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ସର୍ଗିଗୁଡା ପ୍ରହରୀ ମଣ୍ଡପ ଠାରେ ପାଠଚକ୍ରର ସକ୍ରୀୟ ସଦସ୍ୟ କୁମୁଦ ଚନ୍ଦ୍ର ନାଏକଙ୍କ ଆବାହନ କ୍ରମେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଓମପ୍ରକାଶ ଅଗ୍ରୱାଲ ଓ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀମା ଅରବିନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ ଦୀପ ପ୍ରଦାନ କରାଯାଇଥିଲା । ପ୍ରତିଷ୍ଠାତା ସ୍ୱର୍ଗତ କର୍ମକର୍ତ୍ତା ମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ପାଠଚକ୍ରର ପ୍ରତିଷ୍ଠାତା ସମ୍ପାଦକ ବିଷ୍ଣୁ ଗହୀର ଓ ବରିଷ୍ଠ ସଦସ୍ୟ କୁବେର ବିଶ୍ୱାଳଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।


ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ଗହୀର ଓ ସଦସ୍ୟ ଶ୍ରୀ ବିଶ୍ୱାଳ ଭାବ ବିହ୍ୱଳ ହୋଇ ତାଙ୍କର ୫୦ ବର୍ଷର ଅନୁଭୁତି ବର୍ଣ୍ଣନା କରିଥିଲେ । ଆବାହକ ଶ୍ରୀ ନାଏକ ସମ୍ପାଦକୀୟ ବିବରଣୀ ପଠନ କରିଥିବା ବେଳେ ମାତୃଭକ୍ତ ଚକ୍ରଧର ସା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ମାତୃପ୍ରେମୀ ବରିଷ୍ଠ ସଦସ୍ୟ କୁମୁଦ ଚନ୍ଦ୍ର ନାଏକ ଓ ମଧୁସୁଦନ ରାଉତଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପାଠଚକ୍ରର ବରିଷ୍ଠ ସଦସ୍ୟ ଶଶିଦେବ ନାଗ, ନିଳାମ୍ବର ପଧାନ, ଲୋକନାଥ ବିଶ୍ୱାଳ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ପ୍ରଫୁଲ୍ଲ ନାଗ, ଉଗ୍ରେସନ ଗଉଡ, ସଞ୍ଜୟ ନାଏକ, କାହ୍ନୁ ମାଝୀ, ନାରାୟଣ ମାଝୀ, ଅଜୟ ନାଏକ, ପଙ୍କଜ ପଧାନ, କିଶୋର କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଦୀପ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.