କର୍ଲାଖୁଣ୍ଟା ଦେହେରେନ କୂଳରେ ପ୍ରତିଷ୍ଠା ହେଲା ଶିବ ପାର୍ବତୀଙ୍କ ବିଗ୍ରହ

କେସିଙ୍ଗା, (ମଧୁସୂଦନ ଠାକୁର): କେସିଙ୍ଗା ବ୍ଳକ କର୍ଲାଖୁଣ୍ଟା ଗ୍ରାମର ଦେହେରେନ ଜୋର କୂଳରେ ଶିବ ପାର୍ବତୀ ଓ ହନୁମାନଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଗ୍ରାମବାସୀଙ୍କ ଅନେକ ଦିନର ଆଶା ପୂରଣ ହୋଇଥିବାରୁ ସେମାନେ ଖୁସି ପ୍ରକଟ କରିଛନ୍ତି। ମୂର୍ତ୍ତି ପ୍ରତିଷ୍ଠା ପରେ ଏହି ପୀଠସ୍ଥଳୀକୁ ଭୂତେଶ୍ୱର ପୀଠ ନାମରେ ନାମିତ କରାଯାଇଛି। ଏହି ସ୍ଥାନଟି ତୁର୍ଲା, କୋକଡମାଲ ଏବଂ କର୍ଲାଖୁଣ୍ଟାକୁ ସଂଯୋଗ କରୁଥିବା ସହିତ ଏକ ସଂଗମସ୍ଥଳ ହୋଇଥିବାରୁ ବିଭିନ୍ନ ଗ୍ରାମରୁ ଅନେକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମରେ ଖୋଳ କୀର୍ତ୍ତନ ଘଣ୍ଟଘଣ୍ଟା ବାଦ୍ୟରେ କମ୍ପିଉଠିଥିଲା ସମଗ୍ର ପରିସର । ଏହି କାର୍ଯ୍ୟକ୍ରମରେ କର୍ଲାଖୁଣ୍ଟା ଗ୍ରାମର ଯୁବଗୋଷ୍ଠୀଙ୍କ ମଧ୍ୟରେ ଭାଇଚାରାର ଭାବ ସୃଷ୍ଟି ହୋଇଥିବା ବେଳେ ସମସ୍ତ ବରିଷ୍ଠ ବ୍ୟକ୍ତିବିଶେଷଙ୍କ ସହଯୋଗ ଥିବା ଦେଖିବାକୁ ମିଳିଥିଲା । ପ୍ରତିଷ୍ଠା ପୂଜାକର୍ମରେ ତନୁରାମ ପୋଢ ଓ ତାଙ୍କ ଧର୍ମପତ୍ନୀ ରଜନୀ ପୋଢ କର୍ତ୍ତା ଭାବରେ ଦାୟିତ୍ଵ ତୁଲାଇଥିବା ବେଳେ ପଣ୍ଡିତ ଗଙ୍ଗାଧର ଦାସ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ତେବେ ଏହି ସ୍ଥାନକୁ ଆଗାମୀ ଦିନରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ପରିଣତ କରିବା ପାଇଁ କର୍ଲାଖୁଣ୍ଟା ଯୁବଗୋଷ୍ଠୀ ପ୍ରତିଶ୍ରୁତିବଦ୍ଧ ହୋଇଥିବା କହିଛନ୍ତି । ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ବିଭିନ୍ନ ଗ୍ରାମରୁ ଅନେକ ସଂଖ୍ୟକ ଅତିଥିଙ୍କ ସମାଗମ ହୋଇଥିଲା । ଏହାକୁ ଏକ ଦର୍ଶନୀୟ ସ୍ଥାନ ଭାବେ ପରିଚିତ କରାଇବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ପଙ୍କଜ ଗଉଡ଼ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.