ଅନିଦିଆ ବର୍ଷାରେ ତିନ୍ତିଲା ଧାନ: ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଗତ ୫ ତାରିଖରୁ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଚାଷୀଙ୍କ ନିଦ ହଜେଇ ଦେଇଛି । ଗତ ୫, ୬ ଓ ୭ ତାରିଖ ତିନି ଦିନ ଧରି ନର୍ଲା ଅଞ୍ଚଳରେ ଝିପି ଝିପି ବର୍ଷା ଅଞ୍ଚଳର ଧାନ ଚାଷ ପ୍ରତି ବିପଦ ସାଜିଲା । ନଭେମ୍ବର ଶେଷ ଭାଗରୁ ଏହା ଧାନ ଅମଳର ସିଜନ ହୋଇଥିବା ବେଳେ ଅଞ୍ଚଲର ଚାଷୀ ମାନେ ଧାନ କଟାକଟି ଆରମ୍ଭ କରି ଦେଇଥିଲେ । କେଉଁ ଚାଷୀର ଧାନ କଟା ସରି ବିଲରେ ପଡିଛି ତ କେଉଁ ଚାଷୀ ହାରଭେଷ୍ଟର ମେସିନ ଯୋଗେ ଧାନ କାଟି ଚୁନା ଧାନକୁ ଜମିରେ ଗଦା କରି ରଖିଛି । ଏଭଳି ସମୟରେ ବାତ୍ୟା ଜୱାଦ ରାକ୍ଷାସ ଭଳି ମାଡି ଆସିଲା । ବିଭିନ୍ନ ପତ୍ର ପତ୍ରୀକା ଓ ଟିଭି ନ୍ୟୁଜ ଦେଖି ଧାନ ସବୁ ନିଜ ଘରକୁ ଆଣିବା ପାଇଁ ଚାଷୀ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଶ୍ରମିକ ସମସ୍ୟା ଯୋଗୁଁ ତାହା ସମ୍ଭବ ହୋଇ ପାରିନଥିଲା ।


ଚାଷୀମାନେ ବିଲରେ କଟା ହୋଇ ପଡିଥିବା ଧାନ ଓ ବିଲରେ ଗଦା ହୋଇ ରହିଥିବା ଚୁନା ଧାନକୁ ପାଲ ଓ ପଲିଥିନ ଘୋଡେଇ ରଖି ବର୍ଷାରେ ତିନ୍ତିବା ରୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଧାନ ସବୁ ବର୍ଷାରେ ତିନ୍ତି ବତୁରି ଯାଇଥିବା ଦେଖିବାକୁ ମିଳୁଛି । ଆଉ ଯେଉଁ ଧାନ କଟା ହୋଇ ପାରିନଥିଲା ଏବଂ ଧାନ ଗଛ ସବୁ ଭୂଇଁରେ ପଡି ଯାଇଥିଲା ସେ ସବୁ ରେ ଗଜା ବାହାରିଥିବା ମଧ୍ୟ ଦୃଶ୍ୟମାନ ହେଉଛି । ଚାଷୀ ନିଜ କଷ୍ଟାର୍ଜିତ ବର୍ଷକର ଫସଲ ଆଖି ସାମନାରେ ନଷ୍ଟହେଉଥିବା ଦେଖି ମୁଣ୍ଡରେ ହାତଦେଇ ବସିଛି । ଆଉ ଯେଉଁ ଚାଷୀଙ୍କର ଚୁନା ଧାନ ଜମିରେ ପଡି ବର୍ଷାରେ ବତୁରି ଯାଇଛି ସେ ସବୁକୁ ଖଳାକୁ ଆଣି ଓ କେତେ ଚାଷୀ ଗାଁ କଂକ୍ରୀଟ ରାସ୍ତା ଉପରେ ସୁଖାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ବାତ୍ୟା ଜୱାଦ ଅପସରି ଯାଇଥିଲେ ମଧ୍ୟ ଏଯାଏଁ କୋହଲା ପାଗ ଲାଗି ରହିଛି । ଟାଣ ଖରା ହୋଇନି । ଚାଷୀ ଭିଜିଥିବା ଧାନକୁ ଖରାରେ ସୁଖାଇଲେ ଧାନ ବା ସୁଖିବ କେମିତି ଟାଣ ଖରା ତ ନାହିଁ । ତିନ୍ତି ଯାଇଥିବା ଧାନ ଖରାରେ ସୁଖିଲେ ମଧ୍ୟ ଏହା ର ପ୍ରକୃତ ରଙ୍ଗ ରହିବ ନାହିଁ । ଧାନ କଳା କଳା ଦେଖାଯିବ । ସରକାର ଏହାକୁ ଏଫ୍ଏକ୍ୟୁ ମାନ୍ୟତାରୁ ବାଦ୍ ଦେବେ । ଫଳରେ ଧାନ ମଣ୍ଡିରେ ବିକିବା ସମୟରେ ଉଚିତ ପ୍ରାପ୍ୟ ମିଳି ପାରିବ ନାହିଁ ବୋଲି ମତବ୍ୟକ୍ତ କରି ଚାଷୀ ଦୁଃଖରେ ଭାଙ୍ଗିପଡିଛି । ଅନ୍ୟ ପକ୍ଷେ ନର୍ଲା ର ରୁପ୍ରାରୋଡ଼ ରେ ଆଜିଠୁ ଧାନମଣ୍ଡି ଆରମ୍ଭ ହେଉଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.