କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଭାସ୍କର ଆର୍ଟସ୍ ଏକାଡେମୀ ଶିକ୍ଷା ଅନୁଷ୍ଠାନ ତରଫରୁ ସ୍ବର୍ଗତ ବର୍ଷିୟାନ୍ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି (ନନ୍ଦ ସାର୍)ଙ୍କ ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି ୧୦୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ଶତାୟୁ ଶିକ୍ଷକ ନନ୍ଦ ସାର ଗତ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରିବା ଦୃଶ୍ୟ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ତାଙ୍କ ଆବର୍ତ୍ତମାନରେ କୋରାପୁଟ ଭାସ୍କର ଆର୍ଟସ୍ ଏକାଡେମୀ ଶିକ୍ଷା ଅନୁଷ୍ଠାନ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଉଦ୍ୟାନ ବିଭାଗ ଅଧିକାରୀ ବି. ଭି. ଆର୍ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅଧ୍ୟାପକ ହରିହର ପଟ୍ଟନାୟକ, ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ବି.ଭି.ଆର. ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ ଯେ, ନନ୍ଦ ସାର୍ ଜଣେ ଆଦର୍ଶ ଶିକ୍ଷାବିତ ଥିଲେ ଏବଂ ପିଲାଙ୍କ ଗ୍ରହଣରେ ରହି ମାଗଣା ଶିକ୍ଷା ପ୍ରଦାନ କରିଥିଲେ। ଅଧ୍ୟାପକ ହରିହର ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ, ନନ୍ଦ ସାର୍ ଗରିବ ଲୋକଙ୍କ ସାଥି ଥିଲେ, ସେ ଶିକ୍ଷକ ସମାଜ ପାଇଁ ଏକ ଉଦାହରଣ ପାଲଟିଅଛନ୍ତି ଏବଂ ତାଙ୍କ ଠାରୁ ଏହି ଶିକ୍ଷକ ସମାଜ ଅନେକ କିଛି ଶିଖିବାର ଅଛି। ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଅଛନ୍ତି ଯେ, ଶିକ୍ଷାର ପ୍ରସାର କ୍ଷେତ୍ରରେ ନନ୍ଦ ସାର୍ ଙ୍କ ଉଦ୍ୟମ ଅନେକ ପିଢ଼ି ପର୍ଯ୍ୟନ୍ତ ମନେ ରହିବ ଏବଂ ସେ ମଧ୍ୟ ନନ୍ଦ ସାର୍ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଶିକ୍ଷାର ପ୍ରସାର ପାଇଁ ଆଦିବାସୀ ଅଞ୍ଚଳର ଗରିବ ପିଲାଙ୍କୁ ପାଠ ପଢାଇବା ଜାରି ରଖିଥିବା ସୂଚନା ଦେଇଅଛନ୍ତି। ପରିଶେଷରେ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ମୁଖ୍ୟ ଅତିଥିଙ୍କ ସହ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।