ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ଛାତ୍ର ମେଧା ସମ୍ମାନ କାର୍ଯ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ): ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ କୁଶୁର୍ଲା ସ୍ଥିତ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟଠାରେ ରାଜ୍ଯ ସ୍ତରୀୟ ଛାତ୍ର ମେଧା ସମ୍ମାନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ କଳାହାଣ୍ଡି ମାଟିଲଗ୍ନା ସାହିତ୍ଯ ସଂସଦର ସଭାପତି ତଥା ବିଜୟାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୁଳାପଡାର ଅଧ୍ୟାପକ ସମୀର କୁମାର ମହାପାତ୍ର, ମୁଖ୍ଯ ବକ୍ତା ଭାବେ ଲାଞ୍ଜିଗଡ଼ରୋଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସରୋଜ କୁମାର ଜେନା ଯୋଗ ଦେଇ ଭାଷା ଓ ସାହିତ୍ୟର ସୁରକ୍ଷା ଏବଂ ବିକାଶ ଦିଗରେ ମାଟିଲଗ୍ନା ସାହିତ୍ଯ ସଂସଦର ଭୂମିକା ସଂପର୍କରେ ଆଲୋକପାତ କରିବା ସହ ମାତୃଭାଷାର ବିକାଶ ଦିଗରେ ସମସ୍ତଙ୍କ ଦାୟିତ୍ବ ଏବଂ କର୍ତ୍ତବ୍ଯ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ।ଅନ୍ଯତମ ଅତିଥି ଭାବେ କଳାହାଣ୍ଡି ମାଟିଲଗ୍ନା ସାହିତ୍ଯ ସଂସଦର ସଂଯୋଜକ କିଶୋର ଚନ୍ଦ୍ର ତ୍ରିପାଠୀ ଏବଂ ତେରେସିଂହା କଲେଜର ଅଧ୍ୟକ୍ଷା ଲିପସାମୟୀ ଦୁବେ, କୁଶୁର୍ଲା କଲେଜର ଅଧ୍ଯକ୍ଷ ତଥା କଳାହାଣ୍ଡି ଜିଲ୍ଲା ମେଧା ସଂଯୋଜକ ସୁବୋଧ କୁମାର ଶତପଥୀ ଉପସ୍ଥିତ ଥିବାବେଳେ ଅଧ୍ୟାପକ ଧ୍ରୁବ ଚରଣ ସାହୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ କବିତା ଲିଖନ ଓ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇ ପୁରସ୍କୃତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.