ସଂଗ୍ରାମ କେଶରୀ ସାମନ୍ତରାୟଙ୍କ କବିତା ସଂକଳନ ‘ଆମ ଯୁଗ ଜିନ୍ଦାବାଦ’ ଲୋକାର୍ପିତ

କଟକ: କବି ସଂଗ୍ରାମ କେଶରୀ ସାମନ୍ତରାୟଙ୍କ କବିତା ସଂକଳନ “ଆମ ଯୁଗ ଜିନ୍ଦାବାଦ” ସାହିତ୍ୟିକ କବି ବନ୍ଧୁ ପରିବାରର ବାର୍ଷିକ ଉତ୍ସବରେ ଉନ୍ମୋଚିତ ହୋଇଯାଇଛି। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହରେ ଓଡ଼ିଶାର ଭିନ୍ନ ଭିନ୍ନ ପ୍ରାନ୍ତରୁ ଆସିଥିବା କବି, କବୟତ୍ରୀମାନଙ୍କ ଉପସ୍ଥିତିରେ ଏହି କବିତା ସମଗ୍ର ଲୋକାର୍ପିତ ହୋଇଥିଲା। ଏଥିପାଇଁ କବିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତେ ଜଣାଇଥିଲେ। ଏହି ସାରସ୍ବତ ସମାରୋହରେ ମୂଖ୍ୟଅତିଥି ନ୍ୟାୟାଧିଶ ଡଃ କୃଷ୍ଣ ଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଡ଼ଃ ହୁସେନ ରବି ଗାନ୍ଧୀ, ସମ୍ମାନିତ ଅତିଥି ବୈଜ୍ଞାନିକ ଡଃ. ପ୍ରମୋଦ କୁମାର ପଣ୍ଡା, ଡାକ୍ତର ଦେବାଶିଷ ଜୈଷ୍ଟି , ସମ୍ପାଦିକା ପ୍ରଣତି ମହାପାତ୍ର, ବରେଣ୍ୟ ଅତିଥି ଡ଼ଃ ଶ୍ୟାମାପ୍ରସାଦ ମିଶ୍ର, ବଡ଼ଭାଇ ବିଶେଶ୍ୱର ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଶ୍ରୀଯୁକ୍ତ ସାମନ୍ତରାୟଙ୍କ ପୁସ୍ତକ ଉନ୍ମୋଚନ କରିଥିଲେ। କବିବନ୍ଧୁ ପରିବାରର ସଭାପତି ଦେବେନ୍ଦ୍ର କୁମାର ନାୟକଙ୍କ ଦ୍ଵାରା ସଭା କାର୍ଯ୍ୟ ପରିଚାଳନା କରାଯାଇଥିଲା।ଶେଷରେ ସାଗର କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ କବି ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ଏହି ପୁସ୍ତକକୁ ଭାରତୀ ପ୍ରକାଶନ ପ୍ରକାଶିତ କରିଛନ୍ତି। କବି ଶ୍ରୀ ସାମନ୍ତରାୟ ସମ୍ପ୍ରତି ଓଡ଼ିଶା ଅର୍ଥ ସେବାର ବରିଷ୍ଠ ଅଧିକାରୀ ରୂପେ କାର୍ଯ୍ୟରତ। ସଚେତନତା ଧର୍ମି କବିତା ସମାଜକୁ ସ୍ଵତନ୍ତ୍ର ବାର୍ତ୍ତା ପ୍ରଦାନ କରିବ ଏବଂ ସହଜ ଶବ୍ଦର ପ୍ରୟୋଗ ପାଇଁ ପାଠକୀୟ ଆଦୃତି ମିଳିବ ବୋଲି କବି ମତବ୍ୟକ୍ତ କରିଥିଲେ। ପରିବର୍ତ୍ତନ କବିତା ସମ୍ଭାର ମଧ୍ୟ ବର୍ଷର ଶେଷରେ ପ୍ରକାଶ କରିବାକୁ କବି ମତବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.