ବିମଳାଦେବୀ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଶିକ୍ଷାବିତ ପ୍ରଦୀପ୍ତ କୁମାର ମହାନ୍ତି

କଟକ: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ବର ଆନୁକୂଲ୍ୟରେ କଟକ ସ୍ଥିତ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟର ଏହି ମହାକୁମ୍ଭ ମେଳାରେ ଭଦ୍ରକ ଜିଲ୍ଲାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ‘ବିମଳାଦେବୀ ସ୍ମୃତି ସମ୍ମାନ’ରେ ସମ୍ମାନୀତ କରାଯାଇଛି। ନିୟୁ ମୁମ୍ବାଇର ଶ୍ରୀମତୀ ସ୍ନେହ ମିଶ୍ରଙ୍କର ମାଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ଏହି ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀଯୁକ୍ତ ମହାନ୍ତି ନିଷ୍ଠା ଓ ତ୍ୟାଗ ସ୍ବରୁପ ନିଜ ଶିକ୍ଷକତା ଜୀବନ ମଧ୍ୟରେ ଅନେକ ସୂଯୋଗ୍ୟ ଶିଷ୍ୟ ସୃଷ୍ଟି କରି ପାରିଛନ୍ତି। ପୂଜ୍ୟ ପୂଜାର ପରମ୍ପରାକୁ ସମ୍ମାନ ଜଣାଇ ବିଚାରପତି ଡ଼. କୃଷ୍ଣ ଚନ୍ଦ୍ର ମିଶ୍ର ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ କରିଥିଲେ। ସାହିତ୍ୟିକ କବି ବନ୍ଧୁ ପରିବାରର ବାର୍ଷିକ ଉତ୍ସବ ସମାରୋହରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦିକା ପ୍ରଣତି ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକ ପରିବାର ତଥା ବାର୍ଷିକ ଉତ୍ସବର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୯ଟି ପୁସ୍ତକ ସହ ସାହିତ୍ୟିକ କବି ବନ୍ଧୁ ପରିବାରର ଦ୍ଵିତୀୟ ଅର୍ଘ୍ୟ “ଶିଖା” ଲୋକାର୍ପିତ ହୋଇଥିଲା। ଏନେଇ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଚାରପତି ଡ଼. କୃଷ୍ଣ ଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଡ଼. ହୁସେନ ରବି ଗାନ୍ଧୀ, ସମ୍ମାନୀତ ଅତିଥି ବୈଜ୍ଞାନିକ ପ୍ରମୋଦ କୁମାର ପଣ୍ଡା, ଡାକ୍ତର ଦେବାଶିଷ ଜ୍ୟୈଷ୍ଠି, ବରେଣ୍ୟ ବକ୍ତା ଡ଼. ଶ୍ୟାମାପ୍ରସାଦ ମିଶ୍ର, ସମ୍ମାନୀତ ବକ୍ତା ସଂଗ୍ରାମ କେଶରୀ ସାମନ୍ତରାୟ, ସାହିତ୍ୟିକ କବି ବନ୍ଧୁ ପରିବାରର ବଡ଼ଭାଇ ବିଶ୍ଵେଶ୍ଵର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.