ଏଥର ଭୁଷୁଡିବ କି ବିଜେପିର ଗଡ !

ନର୍ଲା ରାଜନୀତିର ଗହନ କଥା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ୨୦୧୭ ପଞ୍ଚାୟତ ନିର୍ବାଚନରେ ନର୍ଲା ବ୍ଲକର ତିନୋଟି ଯାକ ଜିଲ୍ଲା ପରିଷଦ ଆସନ ବିଜେପି ଖାତାକୁ ଚାଲି ଯାଇଥିଲା । ସେହି ସମୟରେ ବିଜେଡି ଅତି ଶୋଚନୀୟ ଭାବରେ ବିଜେପି ଠାରୁ ପରାଜିତ ହୋଇଥିଲା । ତେବେ ଚଳିତ ନିର୍ବାଚନରେ ବିଜେପିର ଏହି ଗଡ ସମୁହକୁ କବ୍ଜା କରିବାକୁ ବିଜେଡି ବ୍ୟୁହ ରଚନା କରିଛି । ବିଜେଡିର ନର୍ଲା ଜୋନ୍-କ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ନମ୍ରତା ସାହୁ, ଜୋନ୍-ଖ ପ୍ରାର୍ଥୀ ହରିଶଙ୍କର ମାଝୀ ଏବଂ ଜୋନ୍-ଗ ପ୍ରାର୍ଥୀନୀ ଲିଲି ଦୀପଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିଲେ ନର୍ଲା ବିଧାୟକ ଭୁପିନ୍ଦର ସିଂ । ଏହାସହ ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ବିଜେଡି ଉପସଭାପତି ଚିତ୍ତରଞ୍ଜନ ମଣ୍ଡଳ ଓ ଅନେକ ଦଳିୟ ନେତୃବୃନ୍ଦ ପ୍ରଚାର ଠାରୁ ଆରମ୍ଭ କରି ନିର୍ବାଚନର ସମସ୍ତ ଟିକି ନିଖି ଖବର ନିଜ ପାଖରେ ରଖି ରଣନୀତି ପ୍ରସ୍ତୁତ କରିଥିଲେ । ୨୦୧୭ ନିର୍ବାଚନରେ ଭୁଲ ପ୍ରାର୍ଥୀ ଚୟନ, ତତ୍କାଳୀନ ବିଧାୟକ ଧନେଶ୍ଵର ମାଝୀଙ୍କ ଉଦାସୀନତା ଏବଂ ତୃଣମୂଳ ସ୍ତରରେ ଦୁର୍ବଳ ସଂଗଠନ ଯୋଗୁଁ ବିଜେଡି ଶୋଚନୀୟ ପରାଜୟ ବରଣ କରିଥିଲା । ତେଣୁ ଏଥର ପଞ୍ଚାୟତ ନିର୍ବାଚନର ବହୁ ପୂର୍ବରୁ ନର୍ଲାର ସାଙ୍ଗଠନିକ ସ୍ଥିତିକୁ ସୁଧାରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ସମୁହ ଲୋକଙ୍କ ପାଖରେ ସଠିକ ଢଙ୍ଗରେ ଉପସ୍ଥାପନ କରିଥିଲେ ବିଜେଡି କାର୍ଯ୍ୟକର୍ତ୍ତା, କର୍ମୀ ଓ ନେତୃବୃନ୍ଦ । ଗତ ଥର ବିଜୟୀ ହୋଇଥିବା ବିଜେପି ଜିଲ୍ଲା ପରିଷଦ ସଦସ୍ୟମାନେ ସଭା ସମିତି, ଦଳୀୟ କାର୍ଯ୍ୟ ଛାଡ଼ିଦେଲେ ତୃଣମୂଳ ସ୍ତରରେ ଜନତାଙ୍କ ନିକଟତର ହୋଇପାରିଲେ ନାହିଁ ତେଣୁ ଏହାବି ବିଜେପି ଗଡ ପତନର ଅନ୍ୟତମ କାରଣ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ଏଥର ନର୍ଲାର ତିନି ଜଣ ବିଜେପି ପ୍ରାର୍ଥୀନୀଙ୍କ ପାଇଁ କଳାହାଣ୍ଡି ସାଂସଦ ପ୍ରଚାର କରିଥିଲେ ମଧ୍ୟ ତାଙ୍କ ପ୍ରଚାର ଲୋକଙ୍କୁ ସେତେ ପ୍ରଭାବିତ କରିପାରି ନଥିବା ଆଲୋଚନା ହେଉଛି । ଏପଟେ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ସଠିକ ଢଙ୍ଗରେ ତୃଣମୂଳ ସ୍ଥରରେ ଲୋକଙ୍କ ପାଖରେ ପହଞ୍ଚାଇବାରେ ଜିଲ୍ଲା ଓ ବ୍ଲକ ବିଜେଡି କାର୍ଯ୍ୟକର୍ତ୍ତା ସକ୍ଷମ ହୋଇ ପାରିଥିଲେ । ଠିକ୍ ସମୟରେ ପୂର୍ବତନ ନର୍ଲା ବିଧାୟକ ବଳଭଦ୍ର ମାଝୀଙ୍କ ନିଦ୍ରା ଭଙ୍ଗ ବିଜେଡି ଜିଲ୍ଲା ପରିଷଦ ଲଢେଇକୁ ଉତ୍ତମ ଇନ୍ଧନ ଯୋଗାଇଲା । ଚଳିତ ନିର୍ବାଚନରେ ସ୍ଥିତି ଦୁର୍ବଳ ସତ୍ବେ ମଧ୍ୟ କଂଗ୍ରେସ ନିର୍ଣ୍ଣାୟକ ଭୂମିକା ନେଇପାରେ । ଏସବୁ ଦୃଷ୍ଟିରୁ ବିଚାର କଲେ ବିଜେପିର ଗଡ ପତନ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି । ତେବେ ନିର୍ବାଚନ ଫଳାଫଳ ଘୋଷଣା ପରେ ଜଣାପଡିବ କାହା ଖାତାକୁ କେତେ ଆସନ ଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.