ସ୍ଥାପନ ହେବାର ୬୨ ବର୍ଷ ପରେ ବିଦ୍ୟାଳୟକୁ ମିଳିଲା ପଟ୍ଟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗାକୁ ଦୀର୍ଘ ୬୨ ବର୍ଷ ପରେ ମିଳିଲା ପଟ୍ଟା । କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ଏହି ଉଚ୍ଚ ବିଦ୍ୟାଳୟ କେସିଙ୍ଗା ବିଦ୍ୟାପିଠ ଭାବେ ଜଣାଶୁଣା । ଅଞ୍ଚଳରେ ଶିକ୍ଷାର ବିକାଶ ନିମନ୍ତେ ୧୯୫୯ ମସିହାରେ ଗଢିଉଠିଥିଲା କେସିଙ୍ଗା ବିଦ୍ୟାପୀଠ । ଏହି  ବିଦ୍ୟାଳୟରୁ ଅନେକ ଛାତ୍ରଛାତ୍ରୀ ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି । ବଡ଼ବଡ଼ ସରକାରୀ ପଦବୀ ଠୁ ଆରମ୍ଭ କରି କିଏ ରାଜନେତା ତ ଆଉ କିଏ ଡାକ୍ତର, ପୁଣି କିଏ ଦେଶସେବା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜଡ଼ିତ ଅଛନ୍ତି । ଏହି ବିଦ୍ୟାଳୟ କେସିଙ୍ଗା ବ୍ଲକର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲେ ମଧ୍ୟ ନିଜସ୍ଵ ପଟ୍ଟା ନ ଥିବାରୁ ତା’ର ପରିଚୟ କେବଳ ଲୋକଙ୍କ ମନରେ ଥିଲା । ହେଲେ ନିଜସ୍ଵ ପଟ୍ଟା ଖଣ୍ଡିକ ପାଇଁ ଅଞ୍ଚଳର ବିଭିନ୍ନ ଗଣମାଧ୍ୟମ ଜରିଆରେ ଅନେକ ଥର ଖବର ପ୍ରକାଶିତ ହୋଇଥିଲା । ପରିଶେଷରେ ଏହି ବିଦ୍ୟାଳୟକୁ ଆଜି ଜମି ପଟ୍ଟା ମିଳିଛି ଯେଉଁ ପଟ୍ଟାର ଖତିଆନ ନମ୍ବର ରହିଛି (୧୩୫/୩୫୪) । ଯାହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.