ଲାଗିରହିଛି ନର୍ଲାରେ ଡାକ୍ତର ସମସ୍ୟା: ଗଣ ଆନ୍ଦୋଳନର ଆଭାସ

CDMO ଙ୍କ ବିଚିତ୍ର ନୀତି……

◆ ନର୍ଲା ମେଡିକାଲର ୩ ଡାକ୍ତରଙ୍କୁ ଡେପୁଟେସନ

◆ ଆୟୁଷ ଡାକ୍ତର ଆସି ଚଳାଉଛନ୍ତି କାମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ତିନିଜଣ ଡାକ୍ତରଙ୍କୁ ସିଡିଏମ୍ଓ ଡେପୁଟେସନରେ ଅନ୍ୟତ୍ର ନେଇ ଯାଇଥିବା ବିଷୟକୁ ନେଇ ନର୍ଲାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରଞ୍ଜନ ମିତ୍ରଙ୍କ ନର୍ଲାବାସୀଙ୍କ ପ୍ରତି କାହିଁକି ଏଭଳି ବୈମାତୃକ ମନୋଭାବ ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ନର୍ଲା ୨୬ ଗୋଟି ଗ୍ରାମ ପଞ୍ଚାୟତ ବିଶିଷ୍ଟ ଏକ ବଡ ବ୍ଲକ୍ ହୋଇଥିବା ବେଳେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ରହିଛି ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୧୯ ଗୋଟି ଉପସ୍ୱାସ୍ଥ୍ୟ କେନ୍ଦ୍ର । ରୁପ୍ରା, ରୁପ୍ରାରୋଡ, ଉଲିକୁପା ଓ ପଲମ୍ ଏହି ୪ ଗୋଟି ସ୍ଥାନରେ ରହିଛି ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ହେଲେ କେବଳ ପଲମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଛାଡିଦେଲେ ବାକି ୩ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ହେବ ଡାକ୍ତର ନାହାନ୍ତି । ଡାକ୍ତର ନଥିବା ଯୋଗୁଁ ଦୀର୍ଘ ଦିନରୁ ଅବହେଳିତ ହୋଇ ପଡି ରହିଛି ରୁପ୍ରାରୋଡ, ରୁପ୍ରା ଓ ଉଲିକୁପା ସ୍ୱାସ୍ଥ୍ୟ କେନ୍ଦ୍ର । କେବଳ ଜଣେ ଜଣେ ଫାର୍ମାଶିଷ୍ଟ ଭରଷାରେ ଚାଲିଛି ଉପରୋକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ । ଅନ୍ୟପକ୍ଷେ ନର୍ଲା ସ୍ୱାସ୍ଥ୍ୟ ସେବାର ଏଭଳି ଦୟନୀୟ ପରିସ୍ଥିତି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବିଚିତ୍ର ନୀତିକୁ ଦେଖିଲେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ର କରୁଣ ପରିଣତି ବେଶ ଅନୁମେୟ ।ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୯ ଜଣ ଡାକ୍ତର; ବିଶେଷଜ୍ଞ ଡାକ୍ତର ୪ ଜଣ, ଏମବିବିଏସ ଡାକ୍ତର ଚାରିଜଣ ଓ ଦାନ୍ତ ବିଶେଷଜ୍ଞ ଡାକ୍ତର ଜଣେ ରହିବାର ପ୍ରାବଧାନ ରହିଥିବା ବେଳେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ମାତ୍ର ୪ ଜଣ ଡାକ୍ତର । ତିନିଜଣ ଏଲୋପେଥିକ ଏବଂ ଜଣେ ଆୟୁଷ ଡାକ୍ତର । ନର୍ଲା ମୁଖ୍ୟ ଡାକ୍ତରଖାନାରେ ଏବେ ୫ ଗୋଟି ଡାକ୍ତର ପଦବୀ ଖାଲି ପଡିଛି । ଦୁଇ ଜଣ ଚୁକ୍ତିଭିତ୍ତକ ଡାକ୍ତର ରହିଛନ୍ତି । ସେମାନେ କେତେବେଳେ ଯେ ଚାଲିଯିବେ ତାହା କହିହେବ ନାହିଁ । ଅନ୍ୟପକ୍ଷେ ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୩ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି । ଅର୍ଥାତ ନର୍ଲାରେ ମୋଟ ୧୩ ଜଣ ଡାକ୍ତର ରହିବା କଥା ହେଲେ ବର୍ତ୍ତମାନ ରହିିଛନ୍ତି ମାତ୍ର ୫ ଜଣ ଡାକ୍ତର ଏବଂ ୮ ଗୋଟି ଡାକ୍ତର ପଦବୀ ଖାଲି ପଡିଛି । ନର୍ଲାରେ ଡାକ୍ତର ପଦବୀ କାଗଜ କଲମରେ ପୂର୍ଣ୍ଣ ହୋଇ ରହିଛି । ହେଲେ ନର୍ଲାର ଡାକ୍ତର ଅମ୍ଳାନ ନାଏକ ବୋର୍ଡା ପରେ ଏବେ କେସିଙ୍ଗା ସିଏଚ୍ସି ରେ କାର୍ଯ୍ୟରତ ଅଛନ୍ତି । ନର୍ଲାରୁ ତାଙ୍କୁ ଡେପୁଟେସନରେ ନେଇଛନ୍ତି ସିଡିଏମଓ । ଡ. ଅମ୍ଳାନ ନାଏକ ନର୍ଲା ଡାକ୍ତର ଭାବରେ ନର୍ଲା ଡାକ୍ତରଖାନାରୁ ଦରମା ପାଉଛନ୍ତି । ଡ. ଅଙ୍କିତ ମହାନ୍ତି ନର୍ଲା ଡାକ୍ତର ଭାବରେ ପୋଷ୍ଟିଂ କିନ୍ତୁ ଅନ୍ୟତ୍ର କାର୍ଯ୍ୟରତ । ଦରମା ପାଉଛନ୍ତି ନର୍ଲାରୁ । ସେହିଭଳି ନର୍ଲାରେ ପୋଷ୍ଟିଂ ପାଇଥିବା ଡ. ସଞ୍ଜୟ ସିକ୍କା ନର୍ଲା ଡାକ୍ତର ଭାବରେ ପୋଷ୍ଟିଂ କିନ୍ତୁ ଡେପୁଟେସନରେ ତାଙ୍କୁ ଗୋଲାମୁଣ୍ଡା ନିଆଯାଇଛି । ଡ. ସିକ୍କା ନର୍ଲା ରୁ ଦରମା ପାଉଛନ୍ତି । ଅନ୍ୟପକ୍ଷେ ଡାକ୍ତର ଅଭାବ ସମସ୍ୟା ଯୋଗୁଁ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ସନତ କୁମାର ଶତପଥି ଉଲିକୁପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଅନୁଜା ପାଣ୍ଡେଙ୍କୁ ଡାକି ନର୍ଲା ଡାକ୍ତରଖାନା ସମ୍ଭାଳୁଥିବା ଜଣାପଡିଛି । ଗୋଟିଏପଟେ ରାଜ୍ୟ କାୟାକଳ୍ପ ଟିମ୍ ଗତ ମାର୍ଚ୍ଚ ୨ ରେ ଆସି ନର୍ଲା ଡାକ୍ତରଖାନା ପରିଦର୍ଶନ କରି ଯାଇଛନ୍ତି । ଏଥିପାଇଁ ନର୍ଲା ଡାକ୍ତରଖାନାକୁ ସ୍ୱଚ୍ଛତା, ପାରିପାଶ୍ୱିର୍କ ସମସ୍ତ ବ୍ୟବସ୍ଥା ଉନ୍ନତ ମାନର କାରାଯିବା ସହ ରୋଗୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ନର୍ଲା ଡାକ୍ତରଖାନା ଭବନ ସବୁରେ ଉନ୍ନତି ଆସିଛି । ଆଉ ନର୍ଲା ଡାକ୍ତରଖାନାର ଉତ୍ତମ ପ୍ରଦର୍ଶନ ଯୋଗୁଁ ୨୦୧୮/୧୯, ୨୦୧୯/୨୦, ୨୦୨୦/୨୧ ତିନିବର୍ଷ ଧରି କାୟାକଳ୍ପ ପୁରସ୍କାର ପାଇସାରିଛି । ଚଳିତ ବର୍ଷ ମଧ୍ୟ କାୟାକଳ୍ପ ଟିମ ସନ୍ତୋଷ ବ୍ୟକ୍ତ କରିଛନ୍ତି । ହେଲେ ବଡ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ନର୍ଲା ଡାକ୍ତରଖାନାରେ ଡାକ୍ତର ସମସ୍ୟା ସବୁଦିନେ ଲାଗିରହିଛି । ଗତ ବୁଧବାର ମାର୍ଚ୍ଚ ୨ ରେ କାୟାକଳ୍ପ ଟିମ ସହିତ ନର୍ଲା ଡାକ୍ତରଖାନା ପରିଦର୍ଶନରେ ଆସିଥିବା କଳାହାଣ୍ଡି ସିଡିଏମଓ ରଞ୍ଜନ ମିତ୍ରଙ୍କୁ ନର୍ଲା ଡାକ୍ତରଖାନାରେ ଡାକ୍ତର ସମସ୍ୟା, ଏଠିକାର ଡାକ୍ତରଙ୍କୁ ଆପଣ କାହିଁକି ଡେପୁଟେସନ ରେ ଅନ୍ୟତ୍ର ନେଇଉଛନ୍ତି ବୋଲି ପ୍ରଶ୍ନ କରିବାରୁ ସେଇଟା ଆମେ କରୁନୁ ଭାଇ ନେତା ମନ୍ତ୍ରୀଙ୍କୁ ଧରି ସେମାନେ କରୁଛନ୍ତି । ମୁଁ କଣ ଚାହୁଁନି କି ନର୍ଲାରେ ପୁରା ଡାକ୍ତର ରହନ୍ତୁ ବୋଲି । ହେଲେ ତାହା ସମ୍ଭବ ହୋଇପାରୁନି ବୋଲି ମତବ୍ୟକ୍ତ କରିଥିଲେ । ନର୍ଲାରେ ଡାକ୍ତର ଥାଇ ବି ଡାକ୍ତର ନାହାନ୍ତି । ନର୍ଲା ଡାକ୍ତରଙ୍କୁ ଡେପୁଟେସନ ରେ ଅନ୍ୟତ୍ର ନିଆ ଯାଇଛି । ନର୍ଲା ଡାକ୍ତରଖାନା ରେ ଡାକ୍ତର ଅଭାବ । ନର୍ଲା ଡାକ୍ତରଙ୍କୁ ଯଦି ଅତିଶୀଘ୍ର ଫେରେଇ ଅଣା ନଯାଏ ତାହେଲେ ଆଗାମୀ ଦିନରେ ଗଣ ଆନ୍ଦୋଳନ କରାଯିବ ବୋଲି ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ଏବଂ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.