ଗୁନା ବୃକ୍ଷ ବିସର୍ଜନ ସହ ଦୁରୁଆଙ୍କ ଫଗୁଣ ଦାଣ୍ଡା ୱାଲିଆ ପର୍ବ ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ପବିତ୍ର ଗୁନା ବୃକ୍ଷ ବିସର୍ଜନ ସହ ଗୁପ୍ତେଶ୍ୱର ଶୈବପୀଠ ନିକଟ ସିରିବେଡା ଗ୍ରାମରେ ବସବାସ କରୁଥିବା ଦୁରୁଆଙ୍କ ଫଗୁଣ ଦାଣ୍ଡା ୱାଲିଆ ପର୍ବ ସମ୍ପନ୍ନ ହୋଇଯାଇଛି । ଦୁରୁଆ ଜନଜାତିରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଭାବଗତ ସମ୍ପର୍କର ସ୍ପନ୍ଦନକୁ ବହନ କରୁଥିବା ଏହି ପର୍ବର ଉଦଯାପନୀ ପର୍ବର ଶେଷ ଦୁଇଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗୁନା ବୃକ୍ଷ ବିସର୍ଜନ ସହ ଦୁରୁଆଙ୍କ ଫଗୁଣ ଦାଣ୍ଡା ୱାଲିଆ ପର୍ବ ସମ୍ପନ୍ନଗୁପ୍ତେଶ୍ୱର ପୀଠକୁ ଘେରି ରହିଥିବା ଜଙ୍ଗଲ ମଧ୍ୟରେ ବାସ କରୁଥିବା ଦୁରୁଆ ଜନଜାତି ଏହି ପର୍ବକୁ ପ୍ରତି ବର୍ଷ ଫଗୁଣ ମାସରେ ହର୍ଷ ଉଲ୍ଲାସର ସହ ପାଳନ କରନ୍ତି । ଏହି ମାସରେ ସପ୍ତାହେ କାଳ ପ୍ରତି ଗାଁର ପ୍ରତିଟି ପରିବାରର କିଛି କିଛି ସଦସ୍ୟ ଗାଁ ବାହାରକୁ ଯାଇ ଅନ୍ୟ ଗ୍ରାମଗୁଡିକରେ ନିଜ ପାରମ୍ପରିକ ବସ୍ତ୍ର ପରିଧାନ କରି ପାରମ୍ପରିକ ଦୁରୁଆ ନୃତ୍ୟ ପ୍ରଦର୍ଶନ କରିଥିବା ଶିରିବେଡ଼ାର ଯୁବତୀ ପଲ୍ଲବୀ ଦୂରୁଆ ଜଣାଇଛନ୍ତି । ଏହି ପ୍ରଦର୍ଶନ ସମୟରେ ସେମାନଙ୍କ ନାଚ ଗୀତ ରେ ଖୁସି ହୋଇ ଲୋକେ ଦେଇଥିବା ଖାଦ୍ୟ ଶସ୍ୟ ତଥା ଅର୍ଥକୁ ଧରି ଗାଁର ପୁରୁଷ ମାନେ ପୂର୍ବ ନିର୍ଦ୍ଧାରିତ ତିଥି ଅନୁଯାୟୀ ଶୁକ୍ରବାର ଦିନ ପୂର୍ଣ୍ଣମୀ ଅବସରରେ ଗାଁକୁ ଫେରିଆସିଛନ୍ତି । ତେବେ ପରମ୍ପରା ଅନୁଯାୟୀ ସେମାନେ ସିଧା ସଳଖ ଘରକୁ ଫେରିବାକୁ ବାରଣ ଥିବା ଯୋଗୁଁ ସେମାନେ ଗାଁ ମୁଣ୍ଡରେ ଗୋଟିଏ ଗଛ ମୂଳେ ଗାଁରେ ମହିଳାଙ୍କ ଅନୁମତିକୁ ଅପେକ୍ଷା କରି ରହିଥିଲେ ।ଅପରପକ୍ଷରେ ପରିବାରର ପୁରୁଷ ସଦସ୍ୟ ଫେରିଆସିଥିବା ଖବର ପାଇ ମହିଳାମାନେ ନିକଟ ଜଙ୍ଗଲକୁ ଯାଇ ଗୁନା ବୃକ୍ଷ ନିକଟରେ ପୂଜାର୍ଚ୍ଚନା କରି ତାର ଏକ ଅଂଶକୁ କାଟି ନିଜ କାନ୍ଧରେ ବୋହି ଆଣି ଗାଁ ମଝିରେ ସ୍ଥାପନା କରିଥିଲେ । ଗାଁର ଝିଅ ବୋହୁ ଓ ବୟସ୍କ ମହିଳା ସେହି ବୃକ୍ଷକୁ ଜଙ୍ଗଲୀ କନ୍ଦା, ଫୁଲ ପତ୍ରରେ ସଜ୍ଜିତ କରି ଥିବାବେଳେ ଫେରିଆସିଥିବା ପରିବାର ସଦସ୍ୟଙ୍କ ସମ୍ମାନରେ ଗାଁରେ ଥିବା ଯୁବକମାନେ ପାରମ୍ପରିକ ନୃତ୍ୟ କରି ସମଗ୍ର ଗାଁ ପରିକ୍ରମା କରି ସଙ୍ଗୀତର ସ୍ପର୍ଶ ଦେବା ସହ ଗାଁ ମୁଣ୍ଡରୁ ଫେରିଥିବା ସମସ୍ତ ପୁରୁଷଙ୍କୁ ସ୍ଵାଗତ କରି ଗାଁ ଦାଣ୍ଡରେ ମହିଳାଙ୍କ ଦ୍ବାରା ସ୍ଥାପନା କରାଯାଇଥିବା ବୃକ୍ଷ ନିକଟକୁ ପାଛୋଟି ନେଇଥିଲେ । ତା’ ପରେ ଆକାଶ ଦୀପ ସଦୃଶ ପାରମ୍ପରିକ ପଦ୍ଧତିରେ ପ୍ରଦୀପ ପ୍ରଜ୍ବଳନ କରି ବୃକ୍ଷରେ ଓହଳାଇ ଦିଆଯାଇଥିଲା  । ଫେରି ଆସିଥିବା ପରିବାର ବର୍ଗଙ୍କ ସ୍ଵାଗତ ଉଦ୍ଦେଶ୍ୟରେ ଗାଁରେ ସାମୁହିକ ଭୋଜିର ଆୟୋଜନ କରାଯାଇଥିଲା । କିନ୍ତୁ ଗାଁ ଗାଁ ବୁଲି ଫେରିଥିବା ପରିବାର ବର୍ଗଙ୍କୁ ଘରେ ପଶିବାରେ ବାରଣ ଥିବା ଯୋଗୁଁ ସେମାନେ ରାତି ତମାମ ସେହି ବୃକ୍ଷ ନିକଟରେ ସମୟ ଅତିବାହିତ କରିଥିଲେ । କେହି କେହି ସେହିଠାରେ ଶୋଇ ପଡ଼ି ଥିବାବେଳେ ଆଉ କେହି ସଙ୍ଗୀତର ଧୁନରେ ଆନନ୍ଦର ଧାରା ପ୍ରବାହିତ କରାଇଥିଲେ । ଆଜି ସକାଳୁ ଗାଁର ଯୁବକମାନଙ୍କ ସହ ମିଶି ଗାଁର ସମସ୍ତ ପୁରୁଷ ସଦସ୍ୟ ମହିଳାଙ୍କ ଦ୍ଵାରା ସ୍ଥାପିତ ଗୁନା ବୃକ୍ଷକୁ କାନ୍ଧରେ ବୋହି ଶାବେରୀ ନଦୀ କୂଳ ପର୍ଯ୍ୟନ୍ତ ବାଦ୍ୟ ଓ ନୃତ୍ୟର ସହ ନେଇଯାଇଥିଲେ । ସେଠାରେ ଦିଶାରିଙ୍କ ପୂଜାର୍ଚ୍ଚନା ପରେ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ବୃକ୍ଷ ସହ ନଦୀ ଜଳ ମଧ୍ୟକୁ ପ୍ରବେଶ କରି ବୃକ୍ଷ ବିସର୍ଜନରେ ସାମିଲ ହୋଇଥିଲେ । ଏହି ପରମ୍ପରା ଯୁଗ ଯୁଗ ଧରି ଚାଲି ଆସିଛି ବୋଲି ଗାଁର ବୟସ୍କା ମହିଳା ମାଙ୍ଗି ଦୁରୁଆ ଜଣାଇଥିବା ବେଳେ ଗାଁ ଯୁବତୀ ପଲ୍ଲବୀ ଦୁରୁଆ ଏହି ପରମ୍ପରା ଯେ ଆଗକୁ ମଧ୍ୟ ଜୀବିତ ରହିବ ସେହି ଆଶାବ୍ୟକ୍ତ କରିଛନ୍ତି ।


There is no ads to display, Please add some

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.