ନୂତନ ସଭାପତି ଆଇନଜୀବୀ ବିବୁଦ୍ଧ ପ୍ରଧାନ ଓ ସଂପାଦକ ହେଲେ ମଙ୍ଗଳମୂର୍ତ୍ତି ବେଉରିଆ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଓକିଲ ସଙ୍ଘର ନିର୍ବାଚନ ଆଜି ଅନୁଷ୍ଠାନିକ ଭାବେ ସମାପ୍ତ ହୋଇଯାଇଛି । ଏଥିରେ ନିର୍ବାଚନ ଅଧିକାରୀ ରୂପେ ଓକିଲ ଜଗଦୀଶ ପଣ୍ଡା ଓ ସହ ନିର୍ବାଚନ ଅଧିକାରୀ ରୂପେ ସୁନୀଲ କୁମାର ନାୟକ, ରମେଶ କୁମାର ପାଢ଼ୀ , ଅରୁଣ କୁମାର ପାଣିଗ୍ରାହୀ ପ୍ରମୁଖ ସଂଘ ନିର୍ବାଚନ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇଥିଲେ । ନର୍ବାଚନ ପରେ ଓକିଲ ସଙ୍ଘର ନୂତନ ସଭାପତି ରୂପେ ବରିଷ୍ଠ ଓକିଲ ବିବୁଦ୍ଧ କୁମାର ପ୍ରଧାନ ତାଙ୍କର ପ୍ରତିଦ୍ବନ୍ଦୀ ବରିଷ୍ଠ ଆଇନଜୀବୀ କିଶୋର କୁମାର ଠାକେରଙ୍କୁ ପରାସ୍ତ କରିଥିଲେ । ସେହିଭଳି ନିର୍ବାଚନରେ ଉପସଭାପତି ଭାବେ ଓକିଲ ଦେବୀପ୍ରସାଦ ପଟ୍ଟନାୟକ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଉମାକାନ୍ତ ମିଶ୍ରଙ୍କୁ ସେ ପରାସ୍ତ କରିଥିଲେ । ଆଇନଜୀବୀ ମଙ୍ଗଳମୂର୍ତ୍ତି ବେଉରିଆ ସମ୍ପାଦକ ଓ ମଣିପାଲି ସୁଜାତା ସହ-ସମ୍ପାଦିକା ଏବଂ ବ୍ରଜ କିଶୋର ରାଜଗୁରୁ କୋଷାଧ୍ୟକ୍ଷ ରୂପେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ନୂତନ କର୍ମକର୍ତ୍ତାଙ୍କୁ ରାୟଗଡା ଓକିଲ ସଂଘ ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।