ବାପାଙ୍କ ସ୍ବପ୍ନ ଥିଲା ଡାକ୍ତର କରିବା, ସ୍ବପ୍ନ ପୂରଣ କରିବି -ଆଦ୍ୟାଶା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଗତ ଫେବୃଆରୀ ମାସ ପାଞ୍ଚ ତାରିଖରେ କଳାହାଣ୍ଡି ଜିଲ୍ଲା ମ. ରାମପୁର – ମୋହନଗିରି ରାସ୍ତା ଦୁଲେନ୍ ଛକ ନିକଟରେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ମୋହନଗିରିର ସାମ୍ବାଦିକ ରୋହିତ୍ ବିଶ୍ବାଳଙ୍କ ଦେହାନ୍ତ ହୋଇଥିଲା। ଏହି ଦୁଃଖଦ ଘଟଣା ପରେ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ସ୍ବର୍ଗତ ବିଶ୍ଵାଳଙ୍କ ବଡ ଝିଅ ଆଦ୍ୟାଶାର ମୁଣ୍ଡ ଉପରେ ଥିଲା ମାଟ୍ରିକ ବୋର୍ଡ ପରୀକ୍ଷା। ବୋର୍ଡର ପ୍ରଥମ ଭାଗ ପରୀକ୍ଷା ନଭେମ୍ବର ମାସରେ ସାରିଥିବା ବେଳେ ଦ୍ଵିତୀୟ ଭାଗ ପରୀକ୍ଷା ଅପ୍ରେଲ ମାସ ସତେଇଶି ତାରିଖରେ ରହିଥିଲା। ବାପା ଙ୍କ ଦେହାନ୍ତ ପରେ ଅଦ୍ୟାଶା ଭଲ ଭାବରେ ସ୍କୁଲ୍ ଯାଇ ପାରିନ ଥିଲା କି ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ପାରି ନ ଥିଲା । ତଥାପି ବାପାଙ୍କ ସ୍ବପ୍ନ ଥିଲା ଝିଅ କୁ ଡାକ୍ତର କରିବା। ସେହି ସ୍ବପ୍ନ ପୂରଣ କରିବା ଲକ୍ଷ୍ୟ ରେ ଝିଅ ପାଠ ପଢ଼ି ମାଟ୍ରିକ ପରୀକ୍ଷା ଦେଇ ଗତ କାଲି ବାହାରିଥିବା ସିବିଏସସି ବୋର୍ଡ ପରୀକ୍ଷା ଫଳ ପରେ ଆଦ୍ୟାଶା ୮୧ ପ୍ରତିଶତ ରଖି ପାଶ କରିଛନ୍ତି। ପାଶ ହେବା ପରେ ସେ ନିଜର ପ୍ରତିକ୍ରିୟା ରେ ବାପାଙ୍କ ସ୍ବପ୍ନ ସାକାର କରିବାକୁ କହିଥିଲେ । ଏହି ଖବର ପରେ ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଚି। ରୋହିତ ଗୋଟିଏ ଝିଅ, ଗୋଟିଏ ପୁଅ ରହିଥିବା ବେଳେ, ସାନ ପୁଅ ଏବେ ନବମ ଶ୍ରେଣୀରେ ପଢୁଛନ୍ତି।