ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବୋଲବମ୍.. ହରହର୍ ବମ୍.. ଧ୍ୱନୀରେ ମୁଖରିତ ହେଉଛି ଦେବଗିରି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠରେ ଲାଗି ରହିଛି ଶହ ଶହ ଭକ୍ତଙ୍କ ସମାଗମ। ଶ୍ରାବଣ ସୋମବାରରେ ଦେବଗିରିର ମହାଦେବଙ୍କ ପାଖରେ ଜଲଲାଗି କରୁଛନ୍ତି ଭକ୍ତ। ଦେବଗିରି ଐତିହାସିକ, ପୈ।ରାଣିକ ଓ ପ୍ରାତ୍ନତାତ୍ବିକ ଉପାଦାନରେ ଭରପୁର। ତେଣୁ ଏହି ସ୍ଥାନକୁ ରାଜ୍ୟ ତଥା ପଡୋଶୀ ଛତିଶଗଡ଼ରୁ ଅନେକ ପର୍ଯ୍ୟଟକ ବର୍ଷସାରା ଆସିଥାନ୍ତି। ତେବେ ଶ୍ରାବଣ ମାସରେ ଦେବଗିରିରେ ବୋଲବମ୍ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ। ଦେବଦେବ ମହାଦେବଙ୍କ ଭଜନରେ ପ୍ରକମ୍ପିତ ହୋଇ ଉଠିଥାଏ ଗଗନ ପବନ। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବୋଲବମ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ଓ ରାତ୍ରି ରହଣୀର ବ୍ୟବସ୍ଥା କରାଯାଇଛି। ଏହି ପବିତ୍ର ପୀଠକୁ ଆସି ଶିବ ଆରାଧନା କଲେ ସକଳ ମନୋବାଞ୍ଛା ପୁରଣ ହୋଇଥାଏ ବୋଲି କହିଛନ୍ତି ବୋଲବମ ଭକ୍ତ। ଶ୍ରାବଣ ଦ୍ବିତୀୟ ସୋମବାର ଦିନ ରାମେଶ୍ବର ବୋଲବମ କମିଟି ତେରେସିଙ୍ଗା (କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ) ର ଭକ୍ତ ମଣ୍ଡଳୀ ଦେବଗିରି ମଠରେ ଶିବ ଭଜନ ପରିବେଷଣ କରିଥିଲେ। ରାମେଶ୍ବର ବୋଲବମ କମିଟିର ମୁଖ୍ୟ ରଶ୍ମୀ ରଞ୍ଜନ ରଣାଙ୍କ ତତ୍ବାବଧାନରେ କିଶୋର ଭୋଇଙ୍କ ସୁଲଳିତ କଣ୍ଠରେ ଭଗବାନ ଆଶୁତୋଷଙ୍କ ଭଜନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।