ବାକ୍ୟ ବୀର ସାଜି ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର, ବାସ୍ତବ ପକ୍ଷେ ହୋଇନାହିଁ ଲାଞ୍ଜିଗଡ଼ ଆଦିବାସୀଙ୍କ ବିକାଶ

ଲାଞ୍ଜିଗଡରେ ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ କଦମଗୁଡା ଠାରେ ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପରିବେଷବିତ୍ ପ୍ରଫୁଲ୍ଲ ସାମନ୍ତରାଏ, ଚାଷୀ ନେତା ଲିଙ୍ଗରାଜ ଅତିଥି ଭାବେ ଯୋଗଦେଇ ଆଦିବାସୀମାନେ ଏକତ୍ରିତ ହୋଇ ନିଜ ହକ୍ ପାଇଁ ଲଢେଇ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଲାଞ୍ଜିଗଡ, କୋରାପୁଟ, ଥୁଆମୁଳ ରାମପୁର ଅଞ୍ଚଳରେ ଖଣିଜ ସମ୍ପଦ ଭରି ରହିଛି । ଏହି ଅଞ୍ଚଳରେ ବନବାସୀମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ତାକୁ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ସେଥିପାଇଁ ନିଜ ଜୀବନକୁ ବାଜି ଲଗାଇ ଏହାର ସୁରକ୍ଷା କରିବା ଆମର ଦାଇତ୍ୱ ବୋଲି ଆୟୋଜିତ ହୋଇଥିବା ବିଶ୍ୱ ଆଦିବାସୀ ଦିବସରେ ମତ ପ୍ରକାଶ ପାଇଛି । ଦୁର୍ଗମ ଅଂଚଳର ଅନେକ ଆଦିବାସୀ ଗାଁରେ ଆଜି ମଧ୍ୟ ବିକାଶର ପାଦ ଚିହ୍ନ ପଡିପାରିନାହିଁ। ଗାଁ ମାନଙ୍କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନି। ବିଶୁଦ୍ଧ ପାନୀୟ ଜଳ ସୁବିଧା କିମ୍ବା ନଳକୂଅ ନଥିବାରୁ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି ଆଦିବାସି। ସରକାରଙ୍କ ମାଳମାଳ ଯୋଜନା ସେମାନଙ୍କ ପାଇଁ ସାତସପନ ପାଲଟିଛି । ସରକାର ବାକ୍ୟ ବୀର ସାଜି ବିକାଶର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ହୋଇନାହିଁ ଲାଞ୍ଜିଗଡ଼ ଆଦିବାସୀଙ୍କ ବିକାଶ । ହୋଡିଙ୍ଗ, ବ୍ୟାନର ଓ ବିଜ୍ଞାପନ ମାଧ୍ୟମରେ ଗୋଲାପି ଚିତ୍ର ଦେଖାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର । ଆଜିର ଏହି ଆଦିବାସି ଦିବସ ସମାବେଶରେ ନିୟମଗିରୀ ଅଞ୍ଚଳରେ ବସବାସ କରୁଥିବା ଶତାଧିକ ଡଙ୍ଗରୀଆ ଓ ଝରଣୀଆ ପାରମ୍ପାରିକ ବେଶଭୁଷାରେ ସଜ୍ଜିତ ହୋଇ କଦମଗୁଡା ଠାରୁ ଲାଞ୍ଜିଗଡ ବଂଶଧାରା ନଦୀ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି ଥିଲେ ଓ ସେଠାରେ ଆଦିବାସିଙ୍କ ହକ୍‌କୁ ନେଇ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନିୟମଗିରୀ ସୁରକ୍ଷା ସମିତି ସଭାପତି ଲୋଦ ଶିକକା, ଖଣ୍ଡୁଆଲମାଳି ସୁରକ୍ଷା ସମିତିର ବ୍ରିଟିଶ କୁମାର, କୋରାପୁଟ ଦେଓମାଳି ସୁରକ୍ଷା ସମିତିର ବାସୁ ଖୋରା, ନିଶାନ ପତ୍ରିକାର ସମ୍ପାଦକ ଲେନିନ୍ କୁମାର, ଉପେନ୍ଦ୍ର ଦ୍ରାବିଡ, ସଚେତନ ନାଗରିକ ମଞ୍ଚ ସତ୍ୟ ମାହାର, ରାଜକିଶୋର ଦୋଳହରି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଲାଞ୍ଜିଗଡ ବଜାରପଡା ଠାରେ ମଧ୍ୟ ଲାଞ୍ଜିଗଡ ଆଦିବାସି ସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ବିଶ୍ୱ ଆଦିବାସି ଦିବସକୁ ମହାସମାରୋହର ସହିତ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ଫକୀର ମୋହନ ମାଝୀ, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ସମିତିସଭ୍ୟା ସୁମତି ମାଝୀ, ବାତେଲିମା ସରପଞ୍ଚ କରୁଣା ମାଝୀ, ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ, ଛତ୍ରପୁର ପଞ୍ଚାୟତର ସରପଞ୍ଚ ଓ ସମିତି, ସମାଜସେବି ହରିଶଙ୍କର ପାତ୍ର, ଯୁବ ନେତା ପାତ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.